ଓଡିଶା

odisha

ETV Bharat / bharat

Adani-Hindenburg row: ତଦନ୍ତ ସାରିବାକୁ ଆଉ ୬ମାସ ସମୟ ମାଗିଲା ସେବି - ଆଦାନୀ ଗ୍ରୁପ ବିବାଦ

ଆଦାନୀ ହିଣ୍ଡେନବର୍ଗ ମାମଲାରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟକୁ ଆଉ ୬ମାସ ସମୟ ମାଗିଲା ସେବି । ଅଧିକ ପଢନ୍ତୁ

Adani Hindenburg row
Adani Hindenburg row

By

Published : Apr 30, 2023, 10:03 AM IST

ନୂଆଦିଲ୍ଲୀ:ଥମୁଛି ଆଦାନୀ ଗ୍ରୁପ ବିବାଦ । ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥବା ଦୁର୍ନୀତି ଅଭିଯୋଗର ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ୬ମାସ ସମୟ ମାଗିଲା ସେବି(ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ) । ଶନିବାର ସୁପ୍ରିମକୋର୍ଟକୁ ସମୟ ମାଗିଛି ସେବି ।

ଗତ ଜାନୁଆରୀ ମାସରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ହଟଚମଟ ଦେଖାଦେଇଥିଲା । ଷ୍ଟକ ବଜାର ନିୟମରେ କୌଣସି ଉଲ୍ଲଘଂନ ହୋଇଛି କି ନାହିଁ ସେ ବିଷୟରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ୨ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ କୁହାଯାଇଥିଲା । ତେବେ ଏହି ରିପୋର୍ଟ ଦାଖଲ କରିବା ପାଇଁ ସେବି ପୁଣି ୬ ମାସ ସମୟ ମାଗିଥିବା ଜଣାପଡିଛି ।

ପ୍ରକାଶଥାଉକି, ଜାନୁଆରୀ ୨୪ ତାରିଖରେ ନାଥନ ଆଣ୍ଡରସନ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ମୂଲ୍ୟରେ ହେରଫର ଏବଂ ଆକାଉଣ୍ଟରେ ଅନିୟମିତତା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଷ୍ଟକ ମୂଲ୍ୟ ହ୍ରାସ ପାଇବା ସହ ଜାତୀୟ ରାଜନୀତି ସରଗରମ ହୋଇଥିଲା । ଏହି ହେରଫର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ରହିଥିବା ନେଇ ବିରୋଧି ଦଳ ପାର୍ଲାମେଣ୍ଟରେ ବିକ୍ଷୋଭ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ । ରିପୋର୍ଟ ପ୍ରକାଶ ପାଇବା ପରେ ନିବେଶକଙ୍କୁ ୧୪୦ ବିଲିୟନ କ୍ଷତି ସହିବାକୁ ପଡିଥିଲା । ଫଳରେ ଭାରତୀୟ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହିଣ୍ଡେନବର୍ଗ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାପରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ମାର୍କେଟ ରେଗୁଲେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଭୟ ମନୋହର ସାପ୍ରେଙ୍କ ନେତୃତ୍ବରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ ଟିମ ଗଠନ କରିଥିଲେ । ଭାରତର ନିୟାମକ ବ୍ୟବସ୍ଥାକୁ କିପରି ସୁଦୃଢ କରାଯାଇପାରିବ ସେନେଇ ଉକ୍ତ କମିଟିକୁ ୨ମାସ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାପ୍ରେ ପ୍ୟାନେଲ ଏହି ପ୍ରସଙ୍ଗରେ ସେବି ମୁଖ୍ୟ ଏବଂ କେନ୍ଦ୍ରକୁ ସହାୟତା କରିବ ବୋଲି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେବି ଦିଆଯାଇଥିବା ସମୟ ମଧ୍ୟରେ ତଦନ୍ତ ଶେଷ କରିନପାରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛି । ତଦନ୍ତ ଶେଷ କରିବାକୁ ଆଉ ୬ମାସ ସମୟ ମାଗିଥିବା ଜଣାପଡିଛି ।

ତେବେ ସେବି ମାଗିଥିବା ସମୟକୁ ବିରୋଧ କରିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ । ସେ ଟ୍ବିଟ କରି କହିଛନ୍ତି, " ସେବି ସୁପ୍ରିମକୋର୍ଟକୁ ଆଉ ୬ମାସର ସମୟ ମାଗିଛି । କିନ୍ତୁ ଏହା ମନେ ରଖିବାକୁ ହେବ ଯେ, କମିଟିର କାର୍ଯ୍ୟକ୍ଷେତ୍ର ସୀମିତ । ଏହି କମିଟି ଆଦାନୀ ଗ୍ରୁପର ସମଗ୍ର ରାଜନୀତି ଏବଂ ବ୍ୟବସାୟିକ କାର୍ଯ୍ୟକୁ ନେଇ ତଦନ୍ତ କରିପାରିବ ନାହିଁ । ତେଣୁ ଜେପିସି ତଦନ୍ତ ନିହାତି ଆବଶ୍ୟକ । ସେବି ଅଧ୍ୟକ୍ଷ କମିଟିକୁ କହିଛନ୍ତି ଯେ ଆଦାନୀ ପ୍ରସଙ୍ଗ ଏକ ବଡ ସମସ୍ୟା ଯାହାକୁ ନେଇ ଲୋକମାନେ ଚର୍ଚ୍ଚା କରୁନାହାନ୍ତି । ଏପରି ପରିସ୍ଥିତିରେ, ଏହି ବିଶେଷ 'ହାତୀ ମେରେ ସାଥି' ବନ୍ଧୁତ୍ୱର ଏହି ବର୍ଷ ଗୁଡିକରେ ମନମୁଖୀ କାର୍ଯ୍ୟ କରିଥିବାର ଦେଖି ତୁରନ୍ତ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details