ଲକ୍ଷ୍ନୌ:ବିଭିନ୍ନ ଅଭିଯୋଗ ନେଇ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଭିଯୋଗକାରୀ କିମ୍ବା ପୀଡିତଙ୍କ ପ୍ରତି ଅବହେଳା ଓ ଦୁର୍ବ୍ୟବହାର ସର୍ବଦା ଖବରର ଆଗଧାଡିରେ ଥାଏ । ତେବେ ଏହାର ଏକ ବିପରୀତ ଘଟଣାକ୍ରମର ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ଜଣେ ବୃଦ୍ଧାଙ୍କୁ ଚା’-ଜଳଖିଆ ପରିବେଷଣ କଲେ SDM । ତୁରନ୍ତ ଅଭିଯୋଗ ଶୁଣିବା ସହ ସମାଧାନ ମଧ୍ୟ କଲେ । ଏପରି ଜଣେ ସରକାରୀ ଅଧିକାରୀଙ୍କ ସମ୍ବେଦନଶୀଳତା ଓ କାର୍ଯ୍ୟ କରିବାର ତତ୍ପରତା ଉତ୍ତର ପ୍ରଦେଶ ସମ୍ବଲ ଜିଲ୍ଲାରୁ ସାମ୍ନାକୁ ଆସିଛି ।
ଘଟଣା ଅନୁସାରେ, ଗତକାଲି (ସୋମବାର) ଏହି ଘଟଣା ଘଟିଛି । ଜଣେ ବୃଦ୍ଧା କିଛି ଅଭିଯୋଗ ସହିତ ସ୍ଥାନୀୟ ଏସଡିଏମଙ୍କ ନିକଟରେ ପହଞ୍ଚିଥିଲେ । ସମ୍ବଲ ସଦର ଏସଡିଏମ ସୁନୀଲ କୁମାର ତ୍ରିବେଦୀ ବୃଦ୍ଧାଙ୍କ ଅଭିଯୋଗ ପ୍ରତି ସମ୍ବେଦନଶୀଳତା ଦେଖାଇଥିଲେ । ତାଙ୍କ ଅଭିଯୋଗ ସମ୍ପର୍କରେ ନିଜେ ପଚାରି ବୁଝିଥିଲେ । ମହିଳା ଜଣକ କହିଥିଲେ ଯେ ସେ ଏକୁଟିଆ ରୁହନ୍ତି, କିନ୍ତୁ ତାଙ୍କ ଘରଟି ଅତି ଦୟନୀୟ ସ୍ଥିତିରେ ରହିଛି । ଘର ମରାମତି କରିବା କିମ୍ବା ସେଥିରେ ଟିଣ ପକାଇବା ପାଇଁ ତାଙ୍କ ନିକଟରେ ଟଙ୍କା ନାହିଁ । ସେ ସରକାରୀ ସହାୟତା ଆଶା କରୁଛନ୍ତି । ତେବେ SDM ଜଣଙ୍କ ଏହି ବୃଦ୍ଧାଙ୍କ ପାଇଁ କାର୍ଯ୍ୟାଳୟରେ ଚା’ ଜଳଖିଆ ବ୍ୟବସ୍ଥା କରିବା ସହ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଏହି ଭିଡିଓ ଏବେ ଭାଇରାଲ ହେବା ପରେ ଅଧିକାରୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।