ଲକ୍ଷ୍ନୌ: କର୍ଣ୍ଣାଟକ ମହୀଶୂରର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୟନ ହୋଇଛି । ଏକାଧିକ ମୂର୍ତ୍ତିକାରଙ୍କ ପକ୍ଷରୁ ଶ୍ରୀବିଗ୍ରହଙ୍କ ନମୂନା ପ୍ରଦାନ କରାଯାଇଥିଲା । ଦକ୍ଷିଣ ଭାରତର ପ୍ରଖ୍ୟାତ ମୂର୍ତ୍ତିକାର ଯୋଗୀରାଜଙ୍କ ମୂର୍ତ୍ତିକୁ ଟ୍ରଷ୍ଟ ପକ୍ଷରୁ ଚୂଡ଼ାନ୍ତ କରାଯାଇଛି । ଏହି ଭବ୍ୟ ମୂର୍ତ୍ତି କୃଷ୍ଣଶୀଳା ନାମକ ବିଶେଷଧରଣର ପ୍ରସ୍ତରରେ ନିର୍ମିତ କରାଯାଇଛି । ଯାହାକୁ 18 ତାରିଖରେ ଗର୍ଭଗୃହ ମଧ୍ୟରେ ସିଂହାସନରେ ସଂସ୍ଥାପିତ କରାଯିବା ସହ 22 ରେ ପ୍ରାଣପ୍ରତିଷ୍ଠା କରାଯିବ । ଏନେଇ ରାମ ଜନ୍ମଭୂମି ଟ୍ରଷ୍ଟ ଟ୍ବିଟ୍ ମାଧ୍ୟମରେ ବିଧିବଦ୍ଧ ଘୋଷଣା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅରୁଣ ଯୋଗୀରାଜଙ୍କ ସମେତ 3 ପ୍ରଖ୍ୟାତ ମୂର୍ତ୍ତିକାରଙ୍କ ଦ୍ବାରା ନିର୍ମିତ ମୂର୍ତ୍ତିକୁ ଶ୍ରୀବିଗ୍ରହ ପାଇଁ ବିଚାରକୁ ନିଆଯାଇଥିଲା । ଏବେ ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ ବିଗ୍ରହ ଚୂଡାନ୍ତ କରିଛି ଟ୍ରଷ୍ଟ । ତେବେ 22 ତାରିଖରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ପୂର୍ବରୁ 18 ତାରିଖରେ ଗର୍ଭଗୃହରେ ବିଗ୍ରହ ସଂସ୍ଥାପିତ ହେବ । 16 ରୁ ପ୍ରାକ ପ୍ରତିଷ୍ଠା ବିଧି ଭାବେ ହୋମଯଜ୍ଞ ମଧ୍ୟ ଆରମ୍ଭ ହୋଇଯିବା ନେଇ ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ।
କି’ଏ ଏହି ମୂର୍ତ୍ତିକାର ଅରୁଣ ଯୋଗୀରାଜ:-
ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମଲାଲାଙ୍କ ଶ୍ରୀବିଗ୍ରହର ନିର୍ମାଣର ସୌଭାଗ୍ୟ ପାଇଥିବା ପ୍ରଖ୍ୟାତ ଶିଳ୍ପୀ ଅରୁଣ ଯୋଗୀରାଜ ହେଉଛନ୍ତି କର୍ଣ୍ଣାଟକର ମହୀଶୂରର ବାସିନ୍ଦା । ସେ ତାଙ୍କର ପ୍ରସ୍ତର କାରିଗରୀ ପାଇଁ ସମଗ୍ର ଦେଶରେ ପୂର୍ବରୁ ମଧ୍ୟ ବେଶ ପରିଚିତ । ପୂର୍ବରୁ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିସାରିଛନ୍ତି । ଯାହାକୁ ଅନ୍ୟତମ ସନାତନ ଧାମ କେଦାରନାଥ ପୀଠରେ ସଂସ୍ଥାପିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: 19ରୁ ଲକ୍ଷ୍ନୌ-ଅଯୋଧ୍ୟାକୁ ହେଲିକପ୍ଟର ସେବା
ଏହାଛଡା ସେ ଦିଲ୍ଲୀର ଇଣ୍ଡିଆ ଗେଟରେ ସ୍ଥାପିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ଦଣ୍ଡାୟମାନ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ସ୍ବତନ୍ତ୍ର ଧରଣର ଗ୍ରେନାଇଟ ପ୍ରସ୍ତରରେ ନେତାଜୀଙ୍କର ବିଶାଳ ଦଣ୍ଡାୟମାନ ତଥା ସାଲ୍ୟୁଟ କରୁଥିବା ମୁଦ୍ରାରେ ନିର୍ମିତ ପ୍ରତିମୂର୍ତ୍ତି ଏବେ ଇଣ୍ଡିଆ ଗେଟ ସମ୍ମୁଖରେ ସ୍ଥାପନ କରାଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ । ତେବେ ରାମ ମନ୍ଦିରର ଶ୍ରୀବିଗ୍ରହ ପାଇଁ ମଧ୍ୟ ଅନ୍ୟ ମୂର୍ତ୍ତିକାରଙ୍କ ସମେତ ଯୋଗୀରାଜଙ୍କୁ ସୁଯୋଗ ମିଳିଥିଲା । ତାଙ୍କ ଦ୍ବାରା ନିର୍ମିତ ଏହି ଭବ୍ୟ ଶ୍ରୀବିଗ୍ରହ ଏବେ କୋଟି କୋଟି ହିନ୍ଦୁଙ୍କର ଆସ୍ଥାର କେନ୍ଦ୍ର ବନିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ