ଓଡିଶା

odisha

ETV Bharat / bharat

ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି - ସୁପ୍ରିମ କୋର୍ଟ

ଆଜି (ସୋମବାର) ସୁପ୍ରିମ କୋର୍ଟରେ ହେବ ଉତ୍ତର ପ୍ରଦେଶ ଲଖିମପୁର ହିଂସା ମାମଲାର ଶୁଣାଣି । ଘଟଣାରେ ପ୍ରାଣ ହରାଇଥିଲେ ଚାଷୀଙ୍କ ସମେତ ମୋଟ ୮ ଜଣ । ଅଧିକ ପଢନ୍ତୁ...

ସୋମବାର ସୁପ୍ରିମ କୋର୍ଟରେ ଲକ୍ଷୀମପୁର ହିଂସା ମାମଲାର ଶୁଣାଣି
ସୋମବାର ସୁପ୍ରିମ କୋର୍ଟରେ ଲକ୍ଷୀମପୁର ହିଂସା ମାମଲାର ଶୁଣାଣି

By

Published : Nov 7, 2021, 10:45 PM IST

Updated : Nov 8, 2021, 8:25 AM IST

ନୂଆଦିଲ୍ଲୀ: ଆଜି(ସୋମବାର)ଅକ୍ଟୋବର 8 ତାରିଖରେ ଉତ୍ତର ପ୍ରଦେଶ ଲଖିମପୁର ଖେରୀରେ ଘଟିଥିବା ହିଂସା ଘଟଣାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଅକ୍ଟୋବର 26ରେ ମାମଲାର ଶୁଣାଣି କରି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟାନ୍ୟ ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ଉତ୍ତରପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଏହି ହିଂସାରେ ଆନ୍ଦୋଳନରତ କୃଷକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ ।

ସର୍ବୋଚ୍ଚ ଅଦାଲତ ଉତ୍ତରପ୍ରଦେଶ ସରକାରଙ୍କୁ CrPCର ଧାରା 164 ଅନୁଯାୟୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ଅନ୍ୟ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବାକୁ ଏବଂ ବିଶେଷଜ୍ଞଙ୍କ ଦ୍ବାରା ଡିଜିଟାଲ ପ୍ରମାଣର ତର୍ଜମାକୁ ତ୍ୱରାନ୍ୱିତ ଭାବେ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାହା ଶେଷ ହୋଇଥିବା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଘଟଣା ଦିନ ଆନ୍ଦୋଳନରତ ଚାଷୀଙ୍କ ଉପରେ ଏକ ଚାରି ଚକିଆ ଗାଡି ମାଡିଯିବା ଫଳରେ ୪ ଚାଷୀଙ୍କ ମୃତ୍ୟୁ ହେବା ଓ ଜଣେ କାର୍ଯ୍ୟରତ ସାମ୍ବାଦିକ ଭିଡ ହିଂସାର ଶିକାର ହେବା ଘଟଣାରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ପୋଲିସ ପରିବର୍ତ୍ତେ ସିବିଆଇ କିମ୍ବା ଉଚ୍ଚ ସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରି ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ ଦୁଇ ଆଇନଜୀବୀ ।

ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ଜାରି ରହିଛି । ତେବେ ଗତ ମାସ ୨୬ରେ ହୋଇଥିବା ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ତଦନ୍ତ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ । 68 ଜଣ ସାକ୍ଷୀଙ୍କ ମଧ୍ୟରୁ 30 ଜଣ ସାକ୍ଷୀଙ୍କ ବୟାନ CrPCର ଧାରା 164 ଅନୁଯାୟୀ ରେକର୍ଡ ସରିଥିବା ଓ ଅନ୍ୟ କିଛି ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଜାରି ରହିଥିବା କୋର୍ଟକୁ ଜଣାଇଥିଲେ ସରକାରୀ ପକ୍ଷ । ତେବେ ସାକ୍ଷୀଙ୍କ ମଧ୍ୟରେ ୩୦ ଜଣ ଘଟଣାର ପ୍ରତ୍ୟେକ୍ଷଦର୍ଶୀ ରହିଛନ୍ତି । ଏହି ମାମଲାରେ ପୋଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 8, 2021, 8:25 AM IST

ABOUT THE AUTHOR

...view details