ଶ୍ରୀନଗର:ଜମ୍ମୁକାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଧାରା-370 ଉଚ୍ଛେଦକୁ ବୈଧ ଦର୍ଶାଇ ନିକଟରେ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହାକୁ କାଶ୍ମୀରର ଅନେକ ନେତା ନାପସନ୍ଦ କରିଥିଲେ । ତେବେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି । କୋର୍ଟଙ୍କ ରାୟକୁ ଖଣ୍ଡନ କରିବା ସେ କାଶ୍ମୀରର ରାଜ୍ୟ ପାହ୍ୟା ଫେରାଇବା ନେଇ ତାଙ୍କର ଲଢେଇ ଜାରି ରହିବ ବୋଲି କହିଛନ୍ତି ।
ଆଜି କୁପଓ୍ବାରାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁପତି କହିଛନ୍ତି,‘‘ ଆମେ ଆଶା ଛାଡିପାରିବୁ ନାହିଁ । ଆମେ ଆମ ସଂଘର୍ଷ ଜାରି ରଖିବୁ । ସର୍ବୋଚ୍ଚ କୋର୍ଟ ଇଶ୍ବର ନୁହନ୍ତି । ସୁପ୍ରିମକୋର୍ଟ ଏହା ପୂର୍ବରୁ କହିଥିଲେ ଯେ ବିଧାନସଭାର ସୁପାରିଶ ବିନା ଧାରା-370 କୁ ସଂଶୋଧନ କରାଯାଇପାରିବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହି ଉଚ୍ଛେଦ ନିଷ୍ପତ୍ତିକୁ ଠିକ ଦର୍ଶାଇଲେ । ଏହି ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ । ଆମେ ଏହା ବିରୋଧରେ ଆମର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବୁ ।’’
ଚଳିତମାସ 11 ତାରିଖରେ ସର୍ବୋଚ୍ଚ କୋର୍ଟ 2019 ମସିହାରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଏହି ବହୁଚର୍ଚ୍ଚିତ ନିଷ୍ପତ୍ତିକୁ ବୈଧ ଦର୍ଶାଇଥିଲେ । ଧାରା-370କୁ ସମ୍ବିଧାନର ଏକ ଅସ୍ଥାୟୀ ନିୟମ ଭାବେ ସର୍ବୋଚ୍ଚ କୋର୍ଟ ବିବେଚନା କରିବା ସହ କେନ୍ଦ୍ର ସରକାରଙ୍କ ଉଚ୍ଛେଦ ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଥିଲେ । ଅନେକ ବିରୋଧୀ ଦଳ ନେତା, ସାମାଜିକ ସଂଗଠନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜି କରିଥିଲେ । ଏବେ ସେମାନଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି ।