ଓଡିଶା

odisha

By ETV Bharat Odisha Team

Published : Sep 5, 2023, 7:36 PM IST

ETV Bharat / bharat

Article 370 abrogation: ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ

ଧାରା 370 ଉଚ୍ଛେଦ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Article 370 abrogation: ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ
Article 370 abrogation: ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀରରୁ ଧାରା-370 ଓ 35-ଏ ଉଚ୍ଛେଦକୁ ବିରୋଧ କରି ହୋଇଥିବା ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାର ନିୟମିତ ଶୁଣାଣି ଗତ 16 ଦିନ ଧରି ଜାରି ରହଥିଲା । ଏକାଧିକ ଦିଗକୁ ନେଇ ଶାଣିତ ତର୍କ ହେବା ସହ ଏକାଧିକ ବିନ୍ଦୁ ଉପରେ ସର୍ବୋଚ୍ଚ କୋର୍ଟ ନିଜର ଟିପ୍ପଣୀ ମଧ୍ୟ ରଖିଥିଲେ । ଏଥିମଧ୍ୟରୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ନେଇ ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ ଚର୍ଚ୍ଚାରେ ଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ସିରିଜ ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି । ରାୟ ପ୍ରକାଶ ପାଇବା ନେଇ ପରବର୍ତ୍ତୀ ସମୟରେ କୋର୍ଟ ତାରିଖ ଘୋଷଣା କରିବେ । ଆଜି ଶୁଣାଣି କରିଥିବା ଖଣ୍ଡପୀଠରେ ଜଷ୍ଟିସ ଏସ.କେ କୌଲ, ସଞ୍ଜୀବ ଖାନ୍ନା, ବି.ଆର ଗାଭାଇ ଓ ସୂର୍ଯ୍ୟକାନ୍ତ ସଦସ୍ୟ ବିଚାରପତି ଭାବେ ରହିଥିଲେ ।

କେନ୍ଦ୍ର ସରକାର 2019 ମସିହାରେ କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା-370 ଓ 35-ଏ କୁ ଉଚ୍ଛେଦ କରିଥିଲେ । ଏହାକୁ ବିରୋଧ କରି ଏକାଧିକ ପିଟିସନ ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଥିଲା । ଏହି ସମସ୍ତ ଆବେଦନର ଏକାକ ଶୁଣାଣି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଭିନ୍ନ ଭିନ୍ନ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ରାଜୀବ ଧାଓ୍ବନ, ଗୋପାଳ ସୁବ୍ରମଣ୍ୟମ, ଦୁଷ୍ୟନ୍ତ ଦାଭେ, ଜାଫର ଶାହ, ଗୋପାଲ ଶଙ୍କର ନାରାୟଣନଙ୍କ ପରି ବରିଷ୍ଠ ଆଇନଜୀବୀ ପକ୍ଷ ରଖିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିୟମିତ ପକ୍ଷ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ :- Article 370 hearing: 35-A କାଶ୍ମୀରବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରୁଥିଲା କହିଲେ ସର୍ବୋଚ୍ଚ କୋର୍ଟ

2019 ରେ କାଶ୍ମୀରରୁ ଧାରା 370 ଓ 35(କ) କୁ ଉଚ୍ଛେଦ କରିବା ସହ କାଶ୍ମୀରର ରାଜ୍ୟ ପାହ୍ୟାକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ସେବେଠାରୁ କାଶ୍ମୀରରେ ନିର୍ବାଚନ ହୋଇନାହିଁ । ଏହି ନିର୍ବାଚନ ପ୍ରସଙ୍ଗ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଉଠିଥିଲା । କୋର୍ଟ ମଧ୍ୟ ସରକାରୀ ପକ୍ଷକୁ କେବେ ନିର୍ବାଚନ କରାଯିବ ବୋଲି ପ୍ରଶ୍ନ କରିଥିଲେ । ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଛି । ଶିଘ୍ର ନିର୍ବାଚନ ହେବା ନେଇ ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ । ଏବେ ଏହି ବହୁଚର୍ଚ୍ଚିତ ମାମଲାର ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଖୁବଶିଘ୍ର ପ୍ରକାଶ ପାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details