ନୂଆଦିଲ୍ଲୀ: ଅଭିଯୁକ୍ତଙ୍କର ବି ବଞ୍ଚିବାର ଅଧିକାର ଅଛି । ଆଜି (ଗୁରୁବାର) ସୁପ୍ରିମକୋର୍ଟ ସିଦ୍ଦିକ କପ୍ପନଙ୍କ ସମ୍ପର୍କିତ ଏକ ଯାଚିକାର ଶୁଣାଣି କରି ଏପରି କହିଛନ୍ତି । ବିଭିନ୍ନ ରୋଗରେ ପୀଡିତ ଥିବା ସିଦ୍ଦିକ କାପ୍ପାନକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସୁପ୍ରିକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଗତ ବର୍ଷ ଉତ୍ତରପ୍ରଦେଶ ହାଥରସ ଅଭିମୁଖେ ଯାଉଥିବା ସମୟରେ ଗିରଫ ହୋଇଥିଲେ ସାମ୍ବାଦିକ ସିଦ୍ଦିକ କାପ୍ପାନ । ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ବରେ ଗଠିତ ଏକ ଖଣ୍ଡପୀଠ ସିଦ୍ଦିକଙ୍କୁ ଦିଲ୍ଲୀ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତି ।
ମୁଖ୍ୟ ବିଚାରପତି କହିଥିଲେ, ଗିରଫ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେତୁ ତାଙ୍କୁ ପର୍ଯ୍ୟାପ୍ତ ତଥା ପ୍ରଭାବଶାଳୀ ଚିକିତ୍ସା ସହାୟତା ପ୍ରଦାନ କରାଯିବା ଉଚିତ୍ । ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଆଶଙ୍କା ଦୂର କରିବା ଆବଶ୍ୟକ। ଗିରଫ ସିଦ୍ଦିକ କାପ୍ପାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ କିମ୍ବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) କିମ୍ବା ଦିଲ୍ଲୀର ଅନ୍ୟ କୌଣସି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଠିକ୍ ହେବ ।