ନୂଆଦିଲ୍ଲୀ:ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପ୍ରତିବାଦରେ ଆଜି ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସିବିଆଇ ମୁଖ୍ୟାଳୟ ବାହାରେ ଧାରଣା ଦେବା ସହ ନାରାବାଜୀ କରିଥିଲେ । ପ୍ରାୟ 50ରୁ ଅଧିକ ଆମ ଆଦମୀ ପାର୍ଟିର ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଛି । ଅଟକ ରହିଥିବା ନେତାଙ୍କ ମଧ୍ୟରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ବିଧାୟକ ସୌରଭ ଭରଦ୍ବାଜ, ଗୋପାଲ ରାୟ ପ୍ରମୁଖ ରହିଛନ୍ତି ।
ଏମାନେ ସିବିଆଇ ମୁଖ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ଦିଲ୍ଲୀ ପୋଲିସ ଏମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ଘଟଣାସ୍ଥଳରେ 144 ଧାରା ଜାରି କରାଯିବା ସହ ପ୍ରାୟ 50ରୁ ଅଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ଫତେହପୁର ବେରି ପୋଲିସ ଷ୍ଟେସନରେ ଅଟକ ରଖିଛି । ଆଜି (ରବିବାର) ପୂର୍ବାହ୍ନରେ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ଜାରି ରଖିଛି । ଏହାରି ମଧ୍ୟରେ ସିସୋଦିଆଙ୍କ ବାସଭବନ ଓ ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ହଜାର ହଜାର ଆପ କର୍ମୀ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:- Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ