ବେଙ୍ଗାଲୁରୁ:ସନାତନ ଧର୍ମକୁ ନେଇ ତାମିଲନାଡୁ଼ ମନ୍ତ୍ରୀ ଉଦୟାନିଧିଙ୍କ ବିବାଦୀୟ ମନ୍ତବ୍ୟ ପରେ ସୃଷ୍ଟି ହୋଇଥିବା ବିବାଦ ପ୍ରଶମିତ ହେବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି, ଦକ୍ଷିଣପନ୍ଥୀ ସଂଗଠନ ଓ ସନ୍ଥ ସମାଜ ଉଦୟାନିଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଥିବା ବେଳେ, ସେ କେବଳ ଜାତିବାଦ କଥା କହିଛନ୍ତି, ସେପରି କିଛି ସନାତନ ବିରୋଧୀ ମନ୍ତବ୍ୟ ଦେଇନଥିବା ଯୁକ୍ତି ବାଢିଛନ୍ତି ଉଦୟାନିଧି । ଏହାରି ମଧ୍ୟରେ ଉଦୟାନିଧିଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକରେ ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଥିବା ପ୍ରିୟଙ୍କ ଖଡଗେ । ସିଧାସଳଖ ଉଦୟାନିଧିଙ୍କ ମନ୍ତବ୍ୟକୁ ସମର୍ଥନ କରିବା ସହ ପ୍ରିୟଙ୍କ କହିଛନ୍ତି, ଧର୍ମ ଯଦି ମର୍ଯାଦା ଦେଇନପାରେ, ତେବେ ଏହା ବ୍ୟାଧି ସଦୃଶ୍ୟ ।
ଦେଶର ପ୍ରମୁଖ ବିରୋଧ ଦଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅଙ୍କ ଏପରି ବୟାନ ଏହି ବିବାଦକୁ ଆହୁରି ଜଟିଳ କରିବାକୁ ଯାଉଥିବା ପରି ଦେଖାଯାଇଛି । ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରିୟଙ୍କ କହିଥିଲେ,"ଯେକୌଣସି ଧର୍ମ ଯଦି ସମାନତାକୁ ପ୍ରୋତ୍ସାହିତ କରେ ନାହିଁ କିମ୍ବା ମାନବତାର ମର୍ଯ୍ୟାଦାକୁ ନିଶ୍ଚିତ କରେ ନାହିଁ, ତେବେ ସେହି ଧର୍ମ ମଧ୍ୟ ଏକ ରୋଗ ପରି ।’’ ଯଦିଓ ପ୍ରିୟଙ୍କ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନାମ ତାଙ୍କ ମନ୍ତବ୍ୟରେ ଉଲ୍ଲେଖ କରିନଥିଲେ, କେବଳ କହିଥିଲେ, କୌଣସି ଧର୍ମରେ ଯଦି ସମାନତା ଓ ମାନବତା ପ୍ରତି ମର୍ଯ୍ୟାଦା ନଥାଏ, ତାହା ଏକ ରୋଗ ସଦୃଶ୍ୟ ।