ଓଡିଶା

odisha

ETV Bharat / bharat

History of Haridwar Lok Sabha Seat: ସନ୍ଥଙ୍କୁ ମିଳେନି ଜନତାଙ୍କ 'ଆଶୀର୍ବାଦ'

ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ମଧ୍ୟରୁ ହରିଦ୍ବାର ସର୍ବଦା ଚର୍ଚ୍ଚାରେ ରହିଆସିଛି । ୨୦୨୪ ନିର୍ବାଚନୀ ଲାଗି ପୁଣି ଟିକେଟ ପାଇଁ ଦାବି କରିଛନ୍ତି ସନ୍ଥ ମଣ୍ଡଳୀ । ହେବେ ଇତିହାସର ପୃଷ୍ଠା ଲେଉଟାଇଲେ ସନ୍ଥ ନଗରୀ ହରିଦ୍ବାରରେ ସନ୍ଥଙ୍କୁ ମିଳେନି ଜନତାଙ୍କ 'ଆଶୀର୍ବାଦ' । ରାଜନୀତିର 'ଯୋଗୀ' ସାଜିବା ଲାଗି ସନ୍ଥଙ୍କ ପାଇଁ ହୋଇପଡ଼େ ମୁସ୍କିଲ । ଜାଣନ୍ତୁ ହରିଦ୍ବାର ଲୋକସଭା ଆସନର ଇତିହାସ

By ETV Bharat Odisha Team

Published : Sep 2, 2023, 7:24 PM IST

History of Haridwar Lok Sabha Seat
History of Haridwar Lok Sabha Seat

ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ବାର ଲୋକସଭା ଆସନକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଚଳିତ ଥର ବି ଟିକେଟ ପାଇଁ ଦାବି କରିଛନ୍ତି ସନ୍ଥ ମଣ୍ଡଳୀ । ହରିଦ୍ବାର ଧାର୍ମିକ ସ୍ଥଳୀ ହୋଇଥିବାରୁ ଏହାର ରକ୍ଷାଣବେକ୍ଷଣ ଦାୟିତ୍ବ ସନ୍ଥଙ୍କୁ ମିଳିବା ଉଚିତ । ହେଲେ ବିଗତ ନିର୍ବାଚନ ଫଳାଫଳକୁ ଦେଖିଲେ ଏଠାରେ ସନ୍ଥଙ୍କୁ ମିଳେନି ଜନତାଙ୍କ ଆଶୀର୍ବାଦ । ରାଜନୀତିର 'ଯୋଗୀ' ହେବା ଲାଗି ସନ୍ଥଙ୍କ ପାଇଁ ହୁଏ ମୁସ୍କିଲ । ଫଳରେ ସନ୍ଥଙ୍କୁ ଟିକେଟ ଦେବା ଲାଗି କୁଣ୍ଠା ପ୍ରକାଶ କରିଥାନ୍ତି ରାଜନୈତିକ ଦଳ । ତେବେ ନଜର ପକାନ୍ତୁ କଣ ରହିଛି ହରିଦ୍ବାର ଲୋକସଭା ଆସନର ଇତିହାସ ।

ହରିଦ୍ବାର ଲୋକସଭା ଆସନର ବର୍ତ୍ତମାନ ସ୍ଥିତି

ଗତ କିଛି ଦିନ ଧରି ଚୁପ ଥିବା ସନ୍ଥ ମଣ୍ଡଳୀ ପୁଣି ମୈଦାନକୁ ଓହ୍ଲାଇବା ଲାଗି ସ୍ବର ଉତ୍ତୋଳନ କରିଛନ୍ତି । ଫଳରେ ବିଜେପି ଓ କଂଗ୍ରେସ ନେତା ହୋଇପଡ଼ିଛନ୍ତି ବିଚଳିତ । ଧର୍ମ, ଇତିହାସ ସହିତ ଯୋଡ଼ି ହୋଇଥିବା ପବିତ୍ର ସ୍ଥଳ ହରିଦ୍ବାରରେ ସନ୍ଥଙ୍କ ରାଜୁତି ଚାଲୁଥିଲେ ସୁଦ୍ଧା, ନିର୍ବାଚନୀ ମୈଦାନରେ ଫିକା ପଡିଥାନ୍ତି ସନ୍ଥ । ଏଠାରେ ସେମାନଙ୍କୁ ମିଳିନଥାଏ ଜନତାଙ୍କ ଆଶୀର୍ବାଦ । ଯାହାର ସାକ୍ଷୀ ରହିଛି ବିଗତ ଦିନର ନିର୍ବାଚନୀ ଫଳାଫଳ । ଏହା ସତ୍ତ୍ବେ ପୁଣି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ଲାଗି ସନ୍ଥ ମଣ୍ଡଳୀ ଦାବି କରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ସନ୍ଥଙ୍କୁ ମିଳେନି ଜନତାଙ୍କ 'ଆଶୀର୍ବାଦ':-କେବଳ ଜଗଦୀଶ ମୁନିଙ୍କ ବ୍ୟତୀତ ଅନ୍ୟ ସମସ୍ତ ସନ୍ଥଙ୍କୁ ନିର୍ବାଚନରେ ପରାଜୟ ସ୍ବୀକାର କରିବାକୁ ପଡ଼ିଛି । ହେଲେ ଜଗଦୀଶ ମୁନି ରାମ ମନ୍ଦିର ଲାଗି ଲଢେଇ କରି ୨-୨ଥର ହରିଦ୍ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ହୋଇଥିବା ବିଧାନସଭା ଓ ଲୋକସଭା ଆସନରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ସନ୍ଥ ସ୍ବାମୀ ଯତୀଦାନନ୍ଦ, ସତପାଲ ବ୍ରହ୍ମଚାରୀ, ବ୍ରହ୍ମସ୍ବରୂପ ବ୍ରହ୍ମାଚାରୀ, ତପାଲ ମହାରାଜ ହାର ମାନିଥିଲେ । ସ୍ବାମୀ ଯତିଶ୍ରାନନ୍ଦ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ନିର୍ବାଚନରେ ତାଙ୍କୁ ମଧ୍ୟ ମାତ୍‌ ଦେଇଥିଲେ ପ୍ରତିଦ୍ବନ୍ଦୀ । ଏପରିକି ଯେତେବେଳେ ବିଜେପି, କଂଗ୍ରେସ ସନ୍ଥଙ୍କୁ ଟିକେଟ ଦେଇଥିଲା ସେତେବେଳେ ମଧ୍ୟ ସନ୍ଥଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା ।

ଏହା ବି ପଢନ୍ତୁ- Parliament Special Session: କେନ୍ଦ୍ର ସରକାର ଆଣିପାରନ୍ତି ୱାନ ନେସନ ୱାନ ଇଲେକ୍ସନ ବିଲ

ହରିଦ୍ବାରରେ ୧ହଜାର ଆଶ୍ରମ, ୧୪ହଜାର ସନ୍ଥ ଭୋଟର:-ହରିଦ୍ବାରରେ ଅଧିକାଂଶ ସନ୍ଥ କନଖଲ, ଭୁପତୱାଲା, ଋଷିକେଶ ଅଞ୍ଚଳରେ ବାସ କରନ୍ତି । ହରିଦ୍ବାର ଲୋକସଭା ଆସନ ମଧ୍ୟରେ ପ୍ରାୟ ୧ ହଜାର ଆଶ୍ରମ ରହିଛି । ଯେଉଁଥିରେ କେବଳ ୧୪ ହଜାର ସନ୍ଥ ଭୋଟର ରହିଛନ୍ତି । ହରିଦ୍ବାରର ବଡ଼ ବଡ଼ ଆଶ୍ରମର ସନ୍ଥମାନଙ୍କ ଭକ୍ତ ଅଧିକାଂଶ ବାହାରେ ବାସ କରନ୍ତି । ଫଳରେ ତାଙ୍କ ଦରବାରରେ ଭକ୍ତଙ୍କ ଭିଡ଼ ଜମେ ସତ, ହେଲେ ନିର୍ବାଚନରେ ତାଙ୍କୁ ମିଳିପାରେନାହିଁ ଜନତାଙ୍କ ଆଶୀର୍ବାଦ ।

ସନ୍ଥଙ୍କ ମତ :- ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ସନ୍ଥ ମଣ୍ଡଳୀ କୌଣସି ସନ୍ଥଙ୍କୁ ଟିକେଟ ଦେବା ଲାଗି ଦାବି କରିଛନ୍ତି । ଚଳିତ ଥର ଜୁନା ଅଞ୍ଚଳର ମହାମଣ୍ଡଳେଶ୍ବର ସ୍ବାମୀ ଯତୀଦାନନ୍ଦ ସ୍ବାମୀ ଏଥିଲାଗି ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ହରିଦ୍ବାର ହେଉଛି ସନ୍ଥଙ୍କ ନଗରୀ । ଏଥିଲାଗି ଏହି ଅଞ୍ଚଳର ରକ୍ଷାଣବେକ୍ଷଣ ଦାୟିତ୍ବ ସନ୍ଥମାନଙ୍କୁ ମିଳିବା ଉଚିତ । ହରିଦ୍ବାର ଲୋକସଭା ଆସନର କୌଣସି ସନ୍ଥଙ୍କୁ ଟିକେଟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟରେ ଦାବି କରିଛନ୍ତି । ଏ ନେଇ ହିନ୍ଦୁ ରକ୍ଷା ସେବା ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରବୋଧନାନ୍ଦ ଗିରି କହିଛନ୍ତି ଯେ ହରିଦ୍ବାର ଭଳି ଆଧ୍ୟାତ୍ମିକ ନଗରୀର ସୁରକ୍ଷା ଜଣେ ସନ୍ଥଠାରୁ ଭଲ ଭାବେ କେହି କରିପାରିବେ ନାହିଁ । ଏଣୁ ସନ୍ଥଙ୍କୁ ଟିକେଟ ମିଳିବା ଆବଶ୍ୟକ ।

ଏହା ବି ପଢନ୍ତୁ- Uttarakhand Result: କାହା ମୁଣ୍ଡରେ ରହିବ ଦେବଭୂମି ଆଶୀର୍ବାଦ ?

ବିଜେପିର ମତ କଣ ?:- ହରିଦ୍ବାର ବିଜେପି ଜିଲ୍ଲା ସଭାପତି ସନ୍ଦୀପ ଗୋୟଲ କହିଛନ୍ତି, "ବର୍ତ୍ତମାନର ସାଂସଦ ରମେଶ ପୋଖରିୟାଲ ନିଶଙ୍କ ହରିଦ୍ବାର ବିକାଶ କ୍ଷେତ୍ରରେ ଭଲ କାମ କରିଛନ୍ତି । ସେ ପାର୍ଟିର ବରିଷ୍ଠ ନେତା । ବିଜେପି ସର୍ବାଦ ସନ୍ଥମାନଙ୍କୁ ସମ୍ମାନ ଦେଇଥାଏ । ସନ୍ଥଙ୍କ ଆଶୀର୍ବାଦ ସର୍ବଦା ବିଜେପିକୁ ମିଳିଥାଏ । ହରିଦ୍ବାର ଆସନ ଲାଗି ଦଳ ଯାହାକୁ ଟିକେଟ ଦେବ, କର୍ମକର୍ତ୍ତାମାନେ ତାଙ୍କ ଲାଗି ପ୍ରଚାର କରିବେ ।"

ହରିଦ୍ବାର ଆସନରୁ କିଏ କେବେ ଥିଲା ସାଂସଦ ? :- ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ମଧ୍ୟରୁ ହରିଦ୍ବାର ସର୍ବଦା ଚର୍ଚ୍ଚାରେ ରହିଆସିଛି । ରମେଶ ପୋଖରିୟାଲ ନିଶଙ୍କ ହରିଦ୍ବାରରୁ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପୂର୍ବରୁ ୨୦୦୯ ନିର୍ବାଚନରେ ହରିଶ ରାୱତ ହରିଦ୍ବାରରୁ ସାଂସଦ ଥିଲେ । ୨୦୦୪ ନିର୍ବାଚନରେ ସମାଜବାଦୀ ପାର୍ଟି ନେତା ରାଜେନ୍ଦ୍ର କୁମାର ବାଡି ସାଂସଦ ଥିବା ବେଳେ ୧୯୯୬ଠୁ ଆରମ୍ଭ କରି ୧୯୯୯ ପର୍ଯ୍ୟନ୍ତ ବିଜେପି ନେତା ପ୍ରତ୍ୟାଶୀ ହରପାଲ ସିଂହ ସାଂସଦ ରହିଥିଲେ । ସେହପିରି ୧୯୯୧ରେ ରାମସିଂହ ସୈନି ସାଂସଦ ଥିଲେ । ୧୯୮୯ ରେ ଜଗପାଲ ସିଂ କଂଗ୍ରେସ ପକ୍ଷରୁ ସାଂସଦ ଥିଲେ । ୧୯୮୪ରେ ସୁନ୍ଦରଲାଲ କଂଗ୍ରେସ ଦଳ ପକ୍ଷରୁ ସାଂସଦ ଥିବା ବେଳେ ୧୯୮୦ରେ ଜଗପାଲ ସିଂହ ବିଜେପି ପକ୍ଷରୁ ଟିକେଟ ପାଇ ସାଂସଦ ହୋଇଥିଲେ । ୧୯୯୭ରେ ଭଗବାନ ଦାସ ରାଠୌର ଭାରତୀୟ ଲୋକ ଦଳ ପକ୍ଷରୁ ସାସଂଦ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details