କିଭ:ଋଷର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଗଲାଣି ୟୁକ୍ରେନ ସ୍ଥିତି । ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହ ନାଟୋର ସହାୟତା ବାରମ୍ବାର ମାଗି ଥକିଗଲାଣି ୟୁକ୍ରେନ । ଉଭୟ ଦେଶର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ଫଳରେ ଉଭୟ ଦେଶର ମିତ୍ର ରାଷ୍ଟ୍ର ଏବେ ବଡ ସଂକଟରେ ପଡିଯାଇଛନ୍ତି । କିଏ କାହା ବିରୋଧରେ କରିବେ ଯୁଦ୍ଧ ? କିଏ କାହାକୁ କରିବ ସମର୍ଥନ ? କେଉଁ ରାଷ୍ଟ୍ର ଋଷ ସହ ଅଛି ? କେଉଁ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରୁଛି ? ଯଦି ଆଗକୁ ଆହୁରି ଯୁଦ୍ଧ ଜାରି ରୁହେ ତେବେ କାହାକୁ କିଏ କରିବ ସମର୍ଥନ? ଏହାସହ ବିଶ୍ବଶାନ୍ତି ପାଇଁ ନିଜ ଉଦ୍ୟମ ଜାରି ରଖିଥିବା ତଥା ଏସିଆର ଅନ୍ୟତମ ଶକ୍ତିଶାଳୀ ଭାରତର କାହା ସପକ୍ଷରେ ଯିବ? ପରମ ମିତ୍ର ଋଷ ସହ ଭାରତ ଯିବ ନା ଅସହାୟ ୟୁକ୍ରେନକୁ ସମର୍ଥନ ଯୋଗାଇବ ? ନା ନିରପେକ୍ଷ ଭୂମିକା ତୁଳାଇ ଅନ୍ୟ କୌଣସି ପନ୍ଥା ଆପଣାଇବ ?
ଋଷ -ୟୁକ୍ରେନ ଲଢେଇରେ କଣ ରହିବ ପ୍ରମୁଖ ରାଷ୍ଟ୍ରଙ୍କ ଭୂମିକା ?
ଭାରତ- ଭାରତ ଉଭୟ ଋଷ ଓ ଆମେରିକାର ବନ୍ଧୁ ରାଷ୍ଟ୍ର । ଆମେରିକା ଚାହିଁବ ଭାରତ ତାଙ୍କୁ ସମର୍ଥନ କରୁ । କିନ୍ତୁ ରଣନୀତି ଓ ସାମରିକ ବୁଝାମଣା ଅନୁସାରେ ଭାରତର ବିଶ୍ବସ୍ତ ହେଉଛି ଋଷ । ଦେଶରେ ସାମରିକ ଉପକରଣ ଆଧୁନିକ ଅସ୍ତ୍ର ଶସ୍ତ୍ର ପାଇଁ ଭାରତ ସର୍ବାଧିକ ଋଷ ଉପରେ ନିର୍ଭରଶୀଳ । ଆଉ ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତି ଓ ବ୍ୟବସାୟ, ସାମରିକ, ଶିକ୍ଷା, ସ୍ବାସ୍ଥ୍ୟ, ଗବେଷଣା ଦୃଷ୍ଟିରୁ ଆମେରିକା ମଧ୍ୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଭାରତ କାହା ସହ ଯିବ ତାହା ନିର୍ଣ୍ଣୟ କରିବା କାଠିକର ହେବ ନିଶ୍ଚିତ । ଭାରତ ଶାନ୍ତି ଓ ଆଲୋଚନାକୁ ସର୍ବାଧିକ ଗୁରୁତ୍ବ ଦେବା ଥୟ ।
ଆମେରିକା- ଆମେରିକା ୟୁକ୍ରେନ ଉପରେ ଋଷର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ୟୁକ୍ରେନ ସପକ୍ଷରେ ରହିଛି । କିନ୍ତୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାରିନାହିଁ । ଆମେରିକା କେବଳ ଚେତାବାନୀ ଦେବା ସହ ଋଷର ପଦକ୍ଷେପକୁ ନିନ୍ଦା କରିଛି । ଏହାସହ ଋଷ ବିରୋଧରେ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି । ଖାଲି ଏତିକି ନୁହେଁ ଋଷର ବିତ୍ତଶାଳୀ ନାଗରିକଙ୍କ ବିରୋଧରେ କଟକଣା ଲଗାଇବା ଆରମ୍ଭ କରିଛି । ଏହାସହ ୟୁକ୍ରେନକୁ ହତିଆର ଯୋଗାଇବାରେ ଲାଗିଛି ।
ୟୁରୋପିୟନ ୟୁନିୟନ- ୟୁରୋପିୟନ ପରିଷଦ ଅଧ୍ୟକ୍ଷ ଚାଲର୍ସ ମାଇକଲ କହିଛନ୍ତି ୟୁକ୍ରେନକୁ ଆକ୍ରମଣ ମାନେ ପୁରା ୟୁରୋପ ପ୍ରତି ବିପଦ । ତେଣୁ ସମସ୍ତ ୟୁରୋପିଅ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରିବା ଜରୁରୀ ବୋଲି କହିଛନ୍ତି । ଅର୍ଥାତ ୟୁରୋପିପ ରାଷ୍ଟ୍ର ୟୁକ୍ରେନ ପ୍ରତି ସମର୍ଥନ ଜାରି ରଖିଛନ୍ତି ।
ବ୍ରିଟେନ- ବ୍ରିଟେନ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି । ସ୍ଥିତି ଚିନ୍ତା ଜନକ । ଆଲୋଚନା ମାଧ୍ୟମରେ ସବୁ ସମାଧାନ ହୋଇପାରିବ । ଏହାସହ ଋଷ ବିରୋଧରେ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି ବ୍ରିଟେନ । ଋଷର 6 ଟି ବ୍ୟାଙ୍କ ଉପରେ କଟକଣା ଲଗାଇବା ସହ ଋଷ ବିତ୍ତଶାଳୀ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଦେଇଛି । ଅର୍ଥାତ ବ୍ରିଟେନ ମଧ୍ୟ ଋଷ ବିରୋଧରେ ଅଛି ।
ଚୀନ- ପରିବର୍ତ୍ତିତ ପରିସ୍ଥିତିରେ ଚୀନ ଓ ଋଷ ସମ୍ପର୍କ ବେଶ ସୁଦୃଢ ହୋଇଛି । ଆଉ ବେଜିଂ ୱାସିଂଟନ ମଧ୍ୟରେ ଦୂରତା ବଢିବାରେ ଲାଗିଛି । କିଛି ଦିନ ପୂର୍ବେ ଋଷର ସୁରକ୍ଷା ନେଇ ଆମେରିକା ବୈଦେଶକ ମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ । ଏହାସହ ଋଷ-ୟୁକ୍ରେନ ମଧ୍ୟରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଥିଲେ । ୟୁକ୍ରେନ କେବେ ନାଟୋରେ ପ୍ରବେଶ କରୁ ତାହା ଚୀନ ଚାହୁଁନାହିଁ । କିନ୍ତୁ ଆମେରିକା, ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛନ୍ତି । ଯାହାକୁ ନେଇ ଏବେ ଚୀନ ଋଷ ନିକଟତର ହେବାକୁ ପଥ ପରିଷ୍କାର କରିଛି । କିନ୍ତୁ ଚୀନ ଖୋଲା ଖୋଲି ଋଷ ସମର୍ଥନରେ ଆସିନାହିଁ । ତଥା ଭାରତ ଭଳି ଚୀନ ମଧ୍ୟ ନିରପେକ୍ଷତା ଅବଲମ୍ବନ କରୁଛି ।
ଫ୍ରାନ୍ସ-ଫ୍ରାନ୍ସ କିନ୍ତୁ ଋଷ ବିରୋଧରେ ଆସିଯାଇଛି। ଋଷର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଆର୍ଥିକ କଟକଣା ଲଗାଇବା ଆରମ୍ଭ କରିଛି । ଏହାସହ ଋଷ ବିରୋଧରେ ଥିବା ପୁରା ସଂକେତ ଦେଇଛି । ଏହାସହ ୟୁରୋପିଅ ୟୁନିୟନ ଋଷ ବିରୋଧରେ ଲଗାଇଥିବା ଆର୍ଥିକ କଟକଣାକୁ ସମର୍ଥନ କରିଛି।