ଚେନ୍ନାଇ: ଅସହାୟ ବୃଦ୍ଧାଙ୍କ ପାଖକୁ ଆସିଲା କୋଟି କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ନୋଟିସ୍ । ନିଜ ନାଁରେ ୮ କୋଟି ଟଙ୍କାର ବକେୟା ଟ୍ୟାକ୍ସ ଦେଖି ତାଜୁବ ହୋଇଗଲେ ବୃଦ୍ଧା (Old widow given Rs 8 Cr tax evasion notice) । ମୁଣ୍ଡ ଗୁଞ୍ଜିବାକୁ ନିଜର ଘରଟିଏ ନଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡିଗଲେ । ଶେଷରେ ବାଧ୍ୟହୋଇ ସେ ଜୀବନ ହାରିବାକୁ ଉଦ୍ୟମ କଲେ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁ ତିରୁପାଥୁର ଜିଲ୍ଲା ଅମ୍ବୁର ଅଞ୍ଚଳରୁ ।
ଅମ୍ବୁର ଅଞ୍ଚଳରେ ଗୁଲଜାର ନାମକ ଜଣେ ୬୦ ବର୍ଷୀୟା ବିଧବା ବୃଦ୍ଧା ବସବାସ କରନ୍ତି । ତାଙ୍କର ଗୋଟିଏ ପୁଅ ଓ ଝିଅଟିଏ ଅଛି । କିନ୍ତୁ ପୁଅଟି ଶାରିରୀକ ଭିନ୍ନକ୍ଷମ ହୋଇଥିବା ବେଳେ ଝିଅ ଜଣେ ହୃଦରୋଗୀ । ଦୁଇ ପିଲାଙ୍କୁ ନେଇ ଖୁବ୍ ଦୁଃଖକଷ୍ଟରେ ବୃଦ୍ଧା ଜଣକ ଭଡା ଘରେ ରୁହନ୍ତି । ଏପରି ସ୍ଥିତିରେ ଡିସେମ୍ବର ୧୯ ତାରିଖ ଦିନ ଦୁଇ ମହିଳା ସରକାରୀ ଅଧିକାରୀ ବୃଦ୍ଧା ଗୁଲଜାରଙ୍କ ଘରେ ପହଞ୍ଚିଥିଲେ । ଗୁଲଜାର I.S. ଏଣ୍ଟରପ୍ରାଇଜ ନାମରେ ଏକ କମ୍ପାନୀ ଚଳାଉଛନ୍ତି ଏବଂ ତାଙ୍କ ଉପରେ ୮ କୋଟିର ବକେୟା ଟ୍ୟାକ୍ସ ରହିଛି ବୋଲି ସେମାନେ ଜଣାଇଥିଲେ ।