କାରକୁ 3 କିମି ଘୋଷାଡି ନେଲା ଟ୍ରକ, ନିଶାସକ୍ତ ଥିଲା ଡ୍ରାଇଭର ଲକ୍ଷ୍ନୌ:ନିଶାରେ ଟ୍ରକ ଚଳାଉଥିଲା ଡ୍ରାଇଭର । କାରକୁ ଧକ୍କା ଦେବା ପରେ ପ୍ରାୟ 3 କି.ମି ପର୍ଯ୍ୟନ୍ତ ଘୋଷାଡି ନେଲା । କାରରେ 4ଜଣ ଥିଲେ । ସୌଭାଗ୍ୟବଶତଃ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗତକାଲି (ରବିବାର) ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ପରତାପୁର ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକଟି କାରକୁ ଘୋଷାଡି ନେଉଥିବାର ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ 3 କି.ମି ଦୂରରେ ଟ୍ରକଟି ଅଟକିଥିଲା । କାରରେ ଥିବା ସମସ୍ତ 4 ଡେଇଁପଡି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ପୋଲିସ ପହଞ୍ଚି ଉଭୟ ଟ୍ରକ ଓ କାରକୁ ଜବତ କରିଛି ।
ରିଥାନି ଅଞ୍ଚଳରେରେ ଏହି ଦୁର୍ଘଟଣା ଘଟିଛି । ରିଥାନି ଆଡୁ ପରତାପୁର ଆଡକୁ ଆସୁଥିବା ଏକ ଟ୍ରକ ଏକ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକଟି ଅଟକିବା ପରିବର୍ତ୍ତେ ଆଗକୁ ମାଡିଚଲିଥିଲା । ଟ୍ରକର ସମ୍ମୁଖ ଭାଗରେ କାରଟି ଲାଗି ରହିଥିଲା । ସ୍ଥାନୀୟ ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ଟ୍ରକକୁ ରୋକିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ନିଶାସକ୍ତ ଟ୍ରକ ଡ୍ରାଇଭର ଟ୍ରକ ଚଳାଇବା ଜାରି ରଖିଥିଲା । ପ୍ରାୟ 3 କି.ମି ଦୂର ପରତାପୁର ପୋଲିସ ଷ୍ଟେସନ ନିକଟରେ ଅନ୍ୟ ଏକ ଡମ୍ଫରକୁ ଧକ୍କା ଦେବା ପରେ ଟ୍ରକଟି ଅଟକିଥିଲା ।
ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିଥିଲେ ସୁଦ୍ଧା ନିଶାସକ୍ତ ଡ୍ରାଇଭର ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଉତ୍ତର ଭାରତରେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଛି । ଅନିୟନ୍ତ୍ରିତ ତଥା ବେପରୁଆ ଗାଡି ଚାଳନା,ମଦ୍ୟପାନ, ଘନକୁହୁଡି କାରଣରୁ ଏପରି ଦୁର୍ଘଟଣା ବାରମ୍ବାର ଘଟିବାରେ ଲାଗିଛି । ନୂଆବର୍ଷ ପୂର୍ବ ରାତିରେ ଦିଲ୍ଲୀର ସୁଲତାନପୁରୀରେ ଘଟିଥିବା ହରର କାର ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଅଞ୍ଜଳି ନାମକ ଜଣେ 20 ବର୍ଷୀୟା ସ୍କୁଟି ଆରୋହୀ ଯୁବତୀଙ୍କୁ ଏକ କାର ଧକ୍କା ଦେବା ପରେ ଦୁର୍ଘଟଣାସ୍ଥାନରୁ ପ୍ରାୟ 12 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । କାର ତଳେ ଲାଖି ରହିଥିବା ଯୁବତୀଙ୍କର ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା ।
ଏହି ଘଟଣାରେ କାରରେ ଥିବା 5 ଜଣଙ୍କ ସହ ମୋଟ 7 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଦିଲ୍ଲୀ ପୋଲିସର 11 ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହା ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ କ୍ରମାଗତ ‘ହିଟ୍ ଆଣ୍ଡ ଡ୍ରାଗ’ ମାମଲା ସାମ୍ନାକୁ ଆସିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ