ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଘଟୁଥିବା ସଡ଼କ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶୁକ୍ରବାର ରାଜନାଥ କହିଛନ୍ତି ଯେ ସାରା ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ ସଡ଼କ ଦୁର୍ଘଟଣା କେବଳ ଭାରତରେ ହୋଇଥାଏ ଆଉ ଏହା କୌଣସି ଶାନ୍ତ ମହାମାରୀ ଠାରୁ କମ୍ ନୁହେଁ ।
ଭିସି ଯୋଗେ ସୀମା ସଡ଼କ ସଂସ୍ଥା ବା BRO ର କର୍ମଯୋଗୀ ମାନଙ୍କୁ ସମ୍ବୋଧିତ କରି ରାଜନାଥ ସିଂହ କହିଛନ୍ତି ଯେ, ‘‘ରାସ୍ତାରେ ଘଟୁଥିବା ଦୁର୍ଘଟଣା ବର୍ତ୍ତମାନ ଆମ ପାଇଁ ଆଜି ଏକ ବଡ଼ ଚିନ୍ତାର ବିଷୟ ଅଟେ । ଏହା ଆଶ୍ଚର୍ଯ୍ୟର କଥା ଯେ ସାରା ବିଶ୍ବରେ ଥିବା ଯାନବାହାନର କେବଳ ତିନି ପ୍ରତିଶତ ଭାରତରେ ରହିଛି କିନ୍ତୁ ସାରା ବିଶ୍ବରେ ହେଉଥିବା ସଡ଼କ ଦୁର୍ଘଟଣାର 11 ପ୍ରତିଶତ କେବଳ ଭାରତରେ ହିଁ ହେଉଛି । ପ୍ରତିବର୍ଷ ପାଖାପାଖି ସାଢ଼େ ଚାରି ଲକ୍ଷରୁ ପାଞ୍ଚ ଲକ୍ଷ ସଡ଼କ ଦୁର୍ଘଟଣା ଭାରତରେ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇଥାଏ । ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ।’’
‘‘ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଯେପରିକି ‘ଜାତୀୟ ସଡ଼କ ସୁରକ୍ଷା ପଲିସି, ମୋଟର ଯାନ ଆଇନ 2020, ଜାତୀୟ ରାଜପଥରେ କଳା ଦାଗ ସବୁକୁ ଚିହ୍ନଟ କରିବା ଇତ୍ୟାଦି ।’’
ଶୁକ୍ରବାର କାର୍ଯ୍ୟ ପରିଚାଳନା, ସଡ଼କ ଭିତ୍ତିଭୂମି ଡିଜିଟାଲାଇଜେସନ, ମାନବ ସମ୍ବଳ ପରିଚାଳନା ଓ ନିଯୁକ୍ତି ପରିଚାଳନା ପାଇଁ BRO 4 ଟି ନୂଆ ସଫ୍ଟୱେର ଲଞ୍ଚ କରିଛି ।