ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ମିଡିଆ ରଣନୀତି ପରେ ସାମନାକୁ ଆସିଲା ଆଙ୍କରଙ୍କ ପ୍ରତିକ୍ରିୟା । ଟେଲିଭିଜନ ଆଙ୍କରଙ୍କୁ ବୟକଟ୍ କରିବାକୁ ଲିଷ୍ଟ ଜାରି ହେବା ପରେ ଏବେ ଆଗଧାଡ଼ିର ଉପସ୍ଥାପକମାନେ ମୁହଁ ଖୋଲିଛନ୍ତି । ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟର ଗଣମାଧ୍ୟମ କମିଟି 14 ଜଣ ଉପସ୍ଥାପକ ଓ ଉପସ୍ଥାପିକାଙ୍କ ଦ୍ବାରା ଆୟୋଜିତ ବିତର୍କକୁ ନପଠାଇବା ପାଇଁ ସ୍ଥିର କରିଛି । ତେବେ ତାଲିକାଭୁକ୍ତ ଆଙ୍କର ମଧ୍ୟରେ ରହିଛନ୍ତି ଅଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା(ନ୍ୟୁଜ-18 ଭାରତ), ଅମିଷ ଦେବଗନ(ନ୍ୟୁଜ-18 ଇଣ୍ଡିଆ), ଆନନ୍ଦ ନରସିଂହମ(ନ୍ୟୁଜ-18), ଅର୍ଣ୍ଣବ ଗୋସ୍ବାମୀ(ରିପବ୍ଲିକ ଟିଭି), ଚିତ୍ରା ତ୍ରିପାଠୀ(ଆଜ୍ତକ୍), ଗୌରବ ସାୱନ୍ତ(ଆଜ୍ତକ୍), ନବିକା କୁମାର(ଟାଇମ୍ସ ନାଓ), ପ୍ରାଚି ପରାସର(ଇଣ୍ଡିଆ ନ୍ୟୁଜ୍), ରୁବିକା ଲିୟାକତ(ଇଣ୍ଡିଆ-24), ଶିବ ଅରୋର(ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ(ଆଜ୍ତକ), ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ୍) ଏବଂ ସୁଶାନ୍ତ ସିହ୍ନା(ନବଭାରତ ଟାଇମ୍ସ)।
ବୟକଟ୍ ପରେ କ'ଣ କହିଲେ ଆଙ୍କର ?
ଆଜତକ୍ ଆଙ୍କର ସୁଧୀର ଚୌଧୁରୀ କହିଛନ୍ତି, "ଯେଉଁ ଆଙ୍କରମାନେ 'ଚରଣ ଚୁମ୍ବକ' ହୋଇପାରିନାହାନ୍ତି ସେମାନଙ୍କୁ ବୟକଟ କରାଯାଇଛି ।"
ସେହିପରି ରୁବିକା ଲିୟାକତ କହିଛନ୍ତି, "ଏହାକୁ ବୟକଟ ନୁହେଁ, ଭୟ କୁହାଯାଏ । ପ୍ରଶ୍ନର ଭୟରେ ଭୟଭୀତ ହୋଇ ଦୌଡ଼ିବା କୁହାଯାଏ । ପ୍ରେମର ବାତାବରଣରେ ଘୃଣା ଭରିବା ଯେଉଁମାନଙ୍କ ଅଭ୍ୟାସ ସେମାନେ ହିଁ ଏହିସବୁ କରିପାରିବେ । ହେଲେ ଆମେ ପ୍ରଶ୍ନ ପଚାରୁଛୁ ଏବଂ ଭବିଷ୍ୟତରେ ମଧ୍ୟ ପ୍ରଶ୍ନ କରିବୁ । ଜୟ ହିନ୍ଦ ।"
ଟାଇମ୍ସ ନାଓ ଆଙ୍କର ସୁଶାନ୍ତ ସିହ୍ନା କହିଛନ୍ତି, ଯେଉଁ ଝିଅ ସହ କେବେ ପୁଅର ଦେଖା ହୋଇନି, ଚାଟ୍ ହୋଇନି କି ସେମାନେ ରିଲେସନରେ ନାହାନ୍ତି ସେହି ପୁଅ ଏକତରଫା ବ୍ରେକଅପ୍ କରୁଛି । ମୁଁ ବିତର୍କ ଶୋ' କରୁନାହିଁ । କି କେବେ ବି ଇଣ୍ଡିଆ ମେଣ୍ଟର କୌଣସି ସଦସ୍ୟଙ୍କୁ ବିତର୍କ ପାଇଁ ଡାକିନାହିଁ । ତେଣୁ ମତେ ଅଟକାଇବାକୁ ଆପଣମାନେ କିଏ ? ଏହି ବୟକଟ୍ ଏବଂ ଟାର୍ଗେଟକୁ ମୁଁ ସ୍ବୀକାର କରୁଛି । ଦେଶବାସୀ ସବୁ ଦେଖୁଛନ୍ତି ।"
ଭାରତ ଏକ୍ସପ୍ରେସର ଆଙ୍କର ଅଦିତି ତ୍ୟାଗୀ କହିଛନ୍ତି, "ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କ ମଧ୍ୟରୁ ମୁଁ ଜଣେ । ସେଥିପାଇଁ ମତେ ବୟକଟ କରାଗଲା । ହେଲେ 'ତ୍ୟାଗି' କେବେ ଡରନ୍ତି ନାହିଁ ।"