ନୂଆଦିଲ୍ଲୀ:ବିମାନର ଯାନ୍ତ୍ରିକ ତ୍ରୁଟି ଘଟଣା ନିତିଦିନିଆ ହୋଇଗଲାଣି । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜି ରାଞ୍ଚି ଯାଉଥିବା ଗୋଟିଏ ଇଣ୍ଡିଆ ବିମାନ ଅଧାବାଟରୁ ଦିଲ୍ଲୀ ଫେରି ଆସିଥିବାର ସୂଚନା ମିଳିଛି । ଆଜି (ଶନିବାର) ସକାଳେ ଇଣ୍ଡିଗୋ ବିମାନ 6E-2172 ଇନ୍ଦିରା ଗାନ୍ଧୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ରାଞ୍ଚି ଅଭିମୁଖେ ଉଡାଣ ଭରିଥିଲା । ଅଧାବାଟରେ ଯାନ୍ତ୍ରିକ ତ୍ରୁଟି ଜଣାପଡିବା ପରେ ବିମାନ ରାଞ୍ଚି ନଯାଇ ଦିଲ୍ଲୀ ଫେରିଯିବ ବୋଲି ପାଇଲଟ ଘୋଷଣା କରିଥିଲେ ।
ଜଣେ ଯାତ୍ରୀ କହିଛନ୍ତି ଯେ, ଉଡାଣ ସମୟରେ ଆମେ ବିମାନରେ କମ୍ପନ ଅନୁଭବ କରିଥିଲୁ । ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବାର ପାଇଲଟ ଘୋଷଣା କରିଥିଲେ । ତେଣୁ ଆମେ ଦିଲ୍ଲୀ ଏୟାରପୋର୍ଟକୁ ପୁଣି ଫେରି ଆସିଥିଲୁ । ଯାହା ସୂଚନା ମିଳିଛି, ଆଜି ସକାଳ ୭ଟା ୪୦ରେ ଇଣ୍ଡିଗୋ ବିମାନ ଦିଲ୍ଲୀରୁ ରାଞ୍ଚି ପାଇଁ ଉଡାଣ ଭରିଥିଲା ଏବଂ ଉଡାଣର ଘଣ୍ଟାକ ମଧ୍ୟରେ ୮ଟା ୨୦ ମିନିଟରେ ଦିଲ୍ଲୀ ଫେରି ଆସିଥିଲା । ଏଥିପାଇଁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଯାତ୍ରୀଙ୍କ ନିମନ୍ତେ ଆଉ ଏକ ବିମାନ ବ୍ୟବସ୍ଥା କରାଯାଉଛି । ଏଥିପାଇଁ କିଛି ସମୟ ଲାଗିବ ବୋଲି ଇଣ୍ଡିଗୋ କ୍ରୁ ସୂଚନା ଦେଇଛନ୍ତି ।