ନୂଆଦିଲ୍ଲୀ:ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ଜାନୁୟାରୀ 22ରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ଭବ୍ୟ ଉତ୍ସବକୁ ଅନାଇ ବସିଛନ୍ତି । ଏହାରି ମଧ୍ୟରେ ମରିସସ୍ ସରକାର ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଦିନ ନିଜ ଦେଶରେ 2 ଘଣ୍ଟିଆ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ମରିସସରେ ଥିବା ହିନ୍ଦୁମାନଙ୍କୁ ସେଦିନ ଅପରାହ୍ନ 2ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଛୁଟି ମିଳିବ । ଯଦ୍ବାରା ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ହିନ୍ଦୁ କର୍ମଚାରୀମାନେ ସିଧା ପ୍ରସାରଣରେ ଅଯୋଧ୍ୟାରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦେଖିପାରିବେ ବୋଲି ମରିସସ୍ ସରକାର ଘୋଷଣା କରିଛନ୍ତି ।
ଏନେଇ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ କହିଛନ୍ତି, ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ସମ୍ମାନ ଦେବାର ଏହା ଏକ ଛୋଟ ପ୍ରୟାସ । ପ୍ରଧାନମନ୍ତ୍ରୀ ଜୁଗନାଥଙ୍କ ନେତୃତ୍ବାଧୀନ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ଏକ ସରକାରୀ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ଭାରତର ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏକ ଐତିହାସିକ ଘଟଣା । କାରଣ ଏହି ଉତ୍ସବ ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ । ଏହି ପବିତ୍ର ଅବସରକୁ ଦୃଷ୍ଟିରେ ରଖି ଆସନ୍ତା 22 ତାରିଖ ଅପରାହ୍ନରେ ଦେଶରେ ଥିବା ହିନ୍ଦୁ କର୍ମଚାରୀଙ୍କ ପାଇଁ 2 ଘଣ୍ଟିଆ ସ୍ବତନ୍ତ୍ର ଛୁଟି ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି ।