ଜୟପୁର:ଜାତୀୟ ସ୍ତରରପ୍ରତିଯୋଗିତାମୂଳକ କୋଚିଂ ପାଇଁ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର କୋଟାରେ ଏବେ କ୍ରମାଗତ ଛାତ୍ର ଆତ୍ମହତ୍ୟା ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ହଷ୍ଟେଲ ମାଲିକ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ । ସ୍ଥିତି ଏପରି ହୋଇଛି ଯେ, କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡିକରେ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ହଷ୍ଟେଲ ମାଲିକମାନେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍ ଓ ହଷ୍ଟେଲ ବାଲକୋନୀରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଯାହା ଫଳରେ କୌଣସି ଛାତ୍ର ଯଦି କିଛି ଭୁଲ ନିଷ୍ପତ୍ତି ନିଏ, ତେବେ ତାହାକୁ ରୋକାଯାଇ ପାରିବ ।
ରୁମର ଛାତରେ ଲାଗିଥିବା ସିଲିଂ ଫ୍ୟାନ୍ରେ ଏବେ ସ୍ପ୍ରିଙ୍ଗ୍ ବ୍ୟବସ୍ଥା କରାଯାଉଛି । ଯଦି କେହି ଝୁଲିବାକୁ ଉଦ୍ୟମ କରେ ତେବେ ଏଥିରେ ସେ ସଫଳ ହେବନାହିଁ । ସେହିପରି ଏବେ ଛାତ ଓ ବାଲକୋନୀରୁ ତଳକୁ ଡେଇଁ ନପାରିବା ପାଇଁ ବିଶେଷ ଧରଣର ଜାଲି ମଧ୍ୟ ବ୍ୟବହାର କରାଯାଉଛି । ଛାତ୍ରାବାସ ଓ କୋଚିଂ ସେଣ୍ଟର ଗ୍ରାଉଣ୍ଡ୍ ଫ୍ଲୋର୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସ୍ଥାନକୁ ଖୋଲା ନଛାଡ଼ି ଜାଲିରେ ଆବଦ୍ଧ କରାଯାଉଛି । ତେଣୁ ଛାତ୍ରଛାତ୍ରୀଙ୍କ ଦ୍ବାରା କୌଣସି ଆପତ୍ତିଜନକ ଉଦ୍ୟମକୁ ସହଜରେ ରୋକାଯାଇ ପାରିବ ।
ଯଦି କୌଣସି ଛାତ୍ର ଏପରି ଉଦ୍ୟମ କରେ, ତେବେ ଫ୍ୟାନ୍ ସ୍ପ୍ରିଙ୍ଗ ସାହାଯ୍ୟରେ ତଳକୁ ଝୁଲି ଆସିବା ସହ ସାଇରନ ମଧ୍ୟ ବାଜିବ । ସେହପରି ବାଲକୋନୀ ଓ ଛାତର ଖୋଲା ସ୍ଥାନରେ ଲଗାଯାଉଥିବା ବିଶେଷ ଧରଣର ଏହି ଜାଲି ମଧ୍ୟ ବେଶ ମଜଭୁତ୍ । ଏହା ପ୍ରାୟତଃ 150 କେଜି ପର୍ଯ୍ୟନ୍ତ ଓଜନ ସମ୍ଭାଳିବା ସହ ଛିଡ଼ିବ ନାହିଁ । ତେଣୁ କୌଣସି ଅପ୍ରୀତିକର ଉଦ୍ୟମକୁ ସହଜରେ ରୋକାଯିବା ସହ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ମଧ୍ୟ କରାଯାଇପାରିବ ।