ଓଡିଶା

odisha

ETV Bharat / bharat

ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ - ରାଜସ୍ଥାନ ବିଧାନସଭା ନିର୍ବାଚନ 2023

Rajasthan assembly election 2023 : ରାଜସ୍ଥାନରେ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ପରମ୍ପରା ବଜାୟ ରଖି 5ବର୍ଷ ପରେ ପୁଣି ସରକାର ଗଢିବାକୁ ଯାଉଛି ବିଜେପି । 2024 ଲୋକସଭା ଫାଇନାଲ ପୂର୍ବରୁ ସମସ୍ତ ଦଳ ପାଇଁ ବିଧାନସଭା ନିର୍ବାଚନ ସେମି ଫାଇନାଲ ଥିଲା । ତେବେ ଜନାଦେଶ ବିଜେପି ପାଇଁ ଶୁଭଙ୍କର ରହିଛି । ଅଧିକ ପଢନ୍ତୁ

Rajasthan assembly election 2023
Rajasthan assembly election 2023

By ETV Bharat Odisha Team

Published : Dec 3, 2023, 6:33 PM IST

ଜୟପୁର: ରାଜସ୍ଥାନରେ ପରମ୍ପରା ବଜାୟ ରଖିଲେ ଜନତା । ପୁଣି ସତ୍ତା ପରିବର୍ତ୍ତନ ହୋଇଛି । କଂଗ୍ରେସ ପରେ ପୂର୍ବ ପରମ୍ପରା ଅନୁଯାୟୀ ଆସିଛି ବିଜେପି ସରକାର । ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । 199 ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପିକୁ ମିଳିଛି 115 ଆସନ । ଫାଇନାଲ ପୂର୍ବରୁ ସେମି ଫାଇନାଲରେ ବିଜେପି ପାଇଁ ନିଶ୍ଚିତ ଏହା ଶୁଭ ସଙ୍କେତ । ବିଜେପି ରାଜସ୍ଥାନ ସମେତ 3ଟି ରାଜ୍ୟରେ ସରକାର ଗଢିବାକୁ ଯାଉଛି । ରାଜସ୍ଥାନରେ 5ବର୍ଷ ପରେ ପୁଣି କମ୍‌ବ୍ୟାକ୍‌ କରିଛି ବିଜେପି ।

200 ଆସନ ବିଶିଷ୍ଟ ରାଜସ୍ଥାନରେ ଚଳିତ ଥର 199ଟି ଆସନରେ ପଡ଼ିଥିଲା ଭୋଟ । ଆଜି ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଖାତାକୁ ଯାଇଛି 115 ଆସନ । ସେପଟେ ଶାସନରେ ଥିବା କଂଗ୍ରେସ 68ଟି ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିବା ବେଳେ କଂଗ୍ରେସର ହେବିୱେଟ ନେତା କିନ୍ତୁ ନିଜ ଆସନରେ ବିଜେପି ପ୍ରାର୍ଥୀଙ୍କୁ ମାତ୍‌ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ 6ଷ୍ଠ ଥର ପାଇଁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ହୋଇଛନ୍ତି । ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଟଙ୍କୋ ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଜିତ ମେହେଟ୍ଟାଙ୍କୁ ପରାସ୍ତ କରିଛନ୍ତି ।

ହାର ସ୍ବୀକାର କଲେ ଗେହଲଟ:-ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜନାଦେଶକୁ ସ୍ବୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ X ସାଇଟ୍‌ରେ ଏକ ପୋଷ୍ଟ କରି କହିଛନ୍ତି, "ରାଜସ୍ଥାନ ଜନତାଙ୍କ ଜନାଦେଶକୁ ଆମେ ବିନମ୍ରତାର ସହିତ ସ୍ବୀକାର କରୁଛୁ । ଏହି ଫଳାଫଳ ଆମ କଳ୍ପନା ବାହାରେ ଥିଲା । ଏହି ହାର ଆମକୁ ଦର୍ଶାଇଛି ଯେ ଆମେ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଅସଫଳ ରହିଲୁ । ମାତ୍ର କଂଗ୍ରେସ ସରକାର ଦ୍ବାରା ରାଜ୍ୟରେ ଲାଗୁ କରାଯାଇଥିବା ଯୋଜନାକୁ ଆଗକୁ ବଢାଇବାକୁ ମୁଁ ନୂଆ ସରକାରଙ୍କୁ ପରାମର୍ଶ ଦେଉଛି ।"

ପରାଜୟ ବରଣ କରିଥିବା ହେବିୱେଟ ନେତା:-ଚଳିତ ନିର୍ବାଚନରେ ଅନେକ ମନ୍ତ୍ରୀଙ୍କ ସହିତ ଉଭୟ ଦଳର ହେବିୱେଟ ନେତାଙ୍କୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାତ୍ ଦେଇଛନ୍ତି । ଗେହଲଟ ସରକାରର 11 ଜଣ ମନ୍ତ୍ରୀଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି । ଖାଜୁୱାଲା ଆସନରୁ ଗୋବିନ୍ଦ ରାମ ମେଘବାଲ, ଡିଗ-କୁମହେରରୁ ବିଶ୍ବେନ୍ଦ୍ର ସିଂ, ସିୱିଲ ଲାଇନ୍ସର ପ୍ରତାପ ସିଂ ଖାଚରିୟାୱାସ, ସିକରାୟରୁ ମମତା ଭୁପେଶ, ବାନସୁରରୁ ଶଙ୍କୁନ୍ତଳା ରାୱତ, କୋଟପୁତଲିରୁ ରାଜେନ୍ଦ୍ର ଯାଦବ, କୋଲାୟତ ଆସନରୁ ଭବେର ସିଂହ ଓ ବିକାନେର ପଶ୍ଚିମ ଆସନରୁ ବିଡି କଲ୍ଲାଙ୍କୁ ହାରର ସାମ୍ନା କରିବାକୁ ପଡିଛି ।

ହାରିଲେ ବିଜେପିର ହେବିୱେଟ ନେତାଏ:-ରାଜସ୍ଥାନ ଜନାଦେଶ ଆସିବା ପରେ କେଉଁଠି ଖୁସିର ମାହୋଲ ତ କେଉଁଠି ଦୁଃଖର ବାତାବରଣ ଖେଳିଯାଇଥିଲା । ଯେଉଁଠି କଂଗ୍ରେସକୁ ଝଟକା ଲାଗିଛି, ସେଇଠି ବିଜେପିର ହେବିୱେଟ ନେତା ମଧ୍ୟ ଧରାଶାୟୀ ହୋଇଛନ୍ତି । ବିଜେପି ନେତା ରାଜେନ୍ଦ୍ର ରାଠୋର ତାରାନଗର ଆସନରୁ ହାରିଥିବା ବେଳେ ଅମିର ଆସନରୁ ସତୀଶ ପୁନିଆଙ୍କୁ ମଧ୍ୟ ଜନାଦେଶ ନିରାଶ କରିଛି । ସେହିପରି ନାଗୌର ଆସନରୁ ଜ୍ୟୋତି ମିର୍ଧା ନିର୍ବାଚନରେ ମାତ୍‌ ଖାଇଥିବା ବେଳେ ଚୌମୁ ଆସନରୁ ବିଜେପି ପ୍ରାର୍ଥୀ ରାମଲାଲ ଶର୍ମା ପରାଜୟ ସ୍ବୀକାର କରିଛନ୍ତି । ଚିତୌରଗଡ଼ ଆସନରୁ ନରପତ ସିଂଙ୍କୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଚନ୍ଦ୍ରଭାନ ସିଂ ମାତ୍‌ ଦେଇଛନ୍ତି ।

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ଆସିଲା ଗେହଲଟଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଧକ୍କା ଦେଲା ଫଳ

ହଟ୍‌ ସିଟ୍‌ର ଫଳାଫଳ:-ରାଜସ୍ଥାନ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ମଧ୍ୟରୁ ଶୁମାର ଧୌଲପୁର ଆସନରୁ ଶୋଭା ରାଣୀ କୁଶବାହା ବିଜେପି ପ୍ରାର୍ଥୀ ଡଃ ଶିବଚରଣ କୁଶବାହାଙ୍କୁ ପରାସ୍ତ କରିଛନ୍ତି । ସେହିପରି ହୱାମହଲ ଆସନରୁ କଂଗ୍ରେସ ପ୍ରାର୍ଥୀ ଆର.ଆର ତିୱାଡି ବିଜେପି ପ୍ରାର୍ଥୀ ବାଲମୁକୁନ୍ଦ ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି । ଖାଜୁୱାଲା ଆସନରୁ ବିଜେପି ପ୍ରାର୍ଥୀ ବିଶ୍ବନାଥ ମେଘୱାଲ ଗେହଲଟ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ରାମ ମେଘୱାଲଙ୍କୁ ଧୂଳି ଚଟାଇଛନ୍ତି । ଅନ୍ୟତମ ହଟ୍‌ ସିଟ୍‌ ତିଜାରାରୁ ବିଜେପି ନେତା ବାବା ବୋଲକନାଥ ଯୋଗୀ ବିଜୟର ଧ୍ବଜା ଉଡାଇଛନ୍ତି ।

ଜିତିଲେ ବସୁନ୍ଧରା-ଗେହଲଟ-ପାଇଲଟ:-ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଦାବିଦାର ଥିବା ଏହି 3 ପ୍ରମୁଖ ନେତା ନିଜ ନିଜ ବିଧାନସଭା ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜ ପାରମ୍ପରିକ ଆସନରୁ ଝାଲରାପାଟନ ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ଚନ୍ଦ୍ରୱାତଙ୍କୁ 53,193 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ ଚଳିତ ଥର 6ଷ୍ଠ ଥର ପାଇଁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ 26,396 ଭୋଟ ବ୍ୟବଧାନରେ ଗେହଲଟ ପରାସ୍ତ କରିଛନ୍ତି । ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଟଙ୍କୋ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ବିଜେପି ପ୍ରାର୍ଥୀ ଅଜିତ ମେହେଟ୍ଟାଙ୍କୁ ପରାସ୍ତ କରିଛନ୍ତି ।

କିଏ ହେବେ ମୁଖ୍ୟମନ୍ତ୍ରୀ ? :-ଚଳିତ ନିର୍ବାଚନରେ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ଫଳରେ ସରକାର ଗଢିବାକୁ ଯାଉଛି ବିଜେପି । ତେବେ ଏହାରି ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଫେସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିଏମ ରେସ୍‌ରେ ବସୁନ୍ଧରା ରାଜେଙ୍କଠାରୁ ଆରମ୍ଭ କରି ବାବା ବାଲକନାଥ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ରାଜ ପରିବାରର ଦୀୟା କୁମାରୀ ରହିଛନ୍ତି । ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ ? ରାଜପରିବାରକୁ ମିଳିବ କମାଣ ନା ବାଜି ମାରିବେ 'ରାଜସ୍ଥାନର ଯୋଗୀ' ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳର ହାଇ କମାଣ୍ଡ ଏ ନେଇ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଦଳୀୟ ନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details