କୋଲକାତା: ବନ୍ଧା ହେଲେ ବାଂଲାଦେଶୀ ନାଗରିକ । ଶନିବାର ରେଳ ସୁରକ୍ଷା ବଳ(RPF) 8 ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ସେମାନେ ଭାରତରେ ଅବୈଧ ଭାବେ ଅନୁପ୍ରବେଶ କରିଥିବା ନେଇ ଗିରଫ ହୋଇଛନ୍ତି । ହାୱାଡା-ଚେନ୍ନାଇ ସେଣ୍ଟ୍ରାଲ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା 4 ବାଂଲାଦେଶୀଙ୍କୁ ରାଜହମୁଣ୍ଡ୍ରିଠାରେ ଗିରଫ କରାଯାଇଛି । ଅନ୍ୟ 4 ଜଣ ହାୱଡାରୁ ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ଅମରାବତୀ ଏକ୍ସପ୍ରେସରୁ ବିଜୟୱାଡା ଅଞ୍ଚଳରୁ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ନକଲି ପରିଚୟ ପ୍ରମାଣପତ୍ର ଜବତ କରାଯାଇଛି ।
ଭାରତରେ ଅବୈଧ ପ୍ରବେଶ କରି ବନ୍ଧା ହେଲେ 8 ବାଂଲାଦେଶୀ ଚାରି ଜଣ ବାଂଲାଦେଶୀ ନାଗରିକ ଅମରାବତୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ସେମାନେ ପାସପୋର୍ଟ ଏବଂ ଅନ୍ୟ ଉପଯୁକ୍ତ ଡକ୍ୟୁମେଣ୍ଟ ନ ଦେଖାଇ ପାରିବା ଯୋଗୁଁ ସେମାନଙ୍କୁ ପଚରାଉଚରା କରିଥିଲା RPF । ପ୍ରାଥମିକ ଅନୁସନ୍ଧାନରୁ ସେମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ବାଂଲାଦେଶରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପୋଲିସ କହିଛି ।
ପୋଲିସ କହିବାନୁଯାୟୀ, ସେମାନେ 2017ରୁ 2019 ଯାଏଁ ଗୋଆରେ ଥିଲେ ଏବଂ କୋଭିଡ-19 ଯୋଗୁଁ ବାଂଲାଦେଶକୁ ଫେରିଥିଲେ । ପୁଣି ସେମାନେ ଗତ ଜୁନ 30 ତାରିଖ ଦିନ ବାଂଲାଦେଶରୁ ଗୋଆ ଅଭିମୁଖେ ଯାତ୍ରା କରିଥିଲେ । ଅଭିଯୁକ୍ତଙ୍କ ପାଖରେ ଏକ ନକଲି ଆଧାର କାର୍ଡ, ପାନ୍ କ୍ୟାଡ ଏବଂ ବେଙ୍ଗାଲୁରୁ ଠିକଣାର ଭୋଟର କାର୍ଡ ଥିବା ଜଣାପଡିଛି । RPF ଏ ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିକୁ ସୂଚନା ଦେଇଛି ।
ଅପରପକ୍ଷେ ଅନ୍ୟ ଚାରି ଜଣଙ୍କୁ ହାୱାଡା-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନରୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନେ ଟ୍ରେନରେ ପାଲାସା ଶ୍ରୀକୁଲାମ ଜିଲ୍ଲା ଯାଏଁ ରିଜର୍ଭେସନ କରିଥିଲେ । ହେଲେ ସେଠାରେ ନ ଓହ୍ଲାଇ ସମାନ ସିଟରେ ସେମାନେ ଆଗକୁ ଯାତ୍ରା କରିଥିଲେ । ଫଳରେ ସିଟକୁ ନେଇ ପ୍ରକୃତ ଯାତ୍ରୀଙ୍କ ସହ ସେମାନଙ୍କ କଥା କଟାକଟି ହୋଇଥିଲା । ଏନେଇ ଅନ୍ୟ ଯାତ୍ରୀ ସମ୍ପୃକ୍ତ ବାଂଲାଦେଶୀ ନାଗରିକଙ୍କ ବିରୁଦ୍ଧରେ ରେଲୱେ ହେଲ୍ପଲାଇନକୁ ଅଭିଯୋଗ କରିଥିଲେ । ଏହାପରେ RPF ପୋଲିସ ବିଶାଖାପାଟଣାଠାରେ ସେମାନଙ୍କୁ ପଚରାଉଚରା କରିଥିଲେ । ଅଭିଯୁକ୍ତମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଜଣାପଡିବା ପରେ ରାଜାହମୁଣ୍ଡ୍ରିରୁ ସେମାନଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ