ଓଡିଶା

odisha

ETV Bharat / bharat

Odisha Train accident: ତଦନ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ କଲା ରେଳବାଇ

ତଦନ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ କଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ । ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ଜାରି ରହିଛି ତଦନ୍ତ । ଖୁବଶୀଘ୍ର ସିବିଆଇ ଗ୍ରହଣ କରିବ ତଦନ୍ତ ଭାର । ଅଧିକ ପଢନ୍ତୁ

Odisha Train accident: ତଦନ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କର୍ଯ୍ୟାଳୟକୁ ଅବଗତ କଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ
Odisha Train accident: ତଦନ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କର୍ଯ୍ୟାଳୟକୁ ଅବଗତ କଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ

By

Published : Jun 5, 2023, 9:03 PM IST

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ 275 ଜଣଙ୍କ ପ୍ରାଣହାନୀ ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଏବେ ସୁଦ୍ଧା ସମସ୍ତ ମୃତକଙ୍କ ପରିଚୟ ସ୍ପଷ୍ଟ କରି ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ପ୍ରକ୍ରିୟା ମଧ୍ୟ ଶେଷ ହୋଇନି । ପ୍ରଥମେ ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଥିବା ବେଳେ ପରେ କେନ୍ଦ୍ର ସରକାର ରେଳବାଇର ସୁପାରିଶ ଅନୁସାରେ, ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରେଳବାଇ ବୋର୍ଡ ଅଧ୍ୟକ୍ଷ ତଦନ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ କରିଛନ୍ତି ।

ଗଣମାଧ୍ୟମ ସୂଚନା ଅନୁସାରେ, ରେଳବାଇ ବୋର୍ଡର ଅଧ୍ୟକ୍ଷ ଏ.କେ ଲାହୋତି ଆଜି (ସୋମବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଏହି ଦୁର୍ଘଟଣାର ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତର ଫଳାଫଳ ସମ୍ପର୍କରେ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ଓ ପିଏମଓର ଅନ୍ଯ କିଛି ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗରେ କ୍ରମାଗତ ରିପୋର୍ଟ ସଂଗ୍ରହ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ରେଳବାଇ ବୋର୍ଡ ଅଧ୍ୟକ୍ଷ ମଧ୍ୟ ଘଟଣା ସ୍ଥଳରେ ଉଦ୍ଧାର ଓ ରିଷ୍ଟୋରେସନ କାର୍ଯ୍ୟ ତଦାରଖ କରୁଥିଲେ । ଗତକାଲି ସଂଧ୍ୟାରେ ରିଷ୍ଟୋରେସନ କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲଗାଡି ଚଳାଯାଇଥିଲା । ଆଜି ସକାଳୁ ଉକ୍ତ ରୁଟରେ ରେଳସେବା ସ୍ବାଭାବିକ ହୋଇଛି ।

ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ଏକ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ଆଜି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଅପରାହ୍ନରେ ରେଳବାଇ ବୋର୍ଡ ଅଧ୍ୟକ୍ଷ ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅବଗତ କରିଥିଲେ । ଖୁବଶୀଘ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଭୟାନକ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଦୁର୍ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଦୋଷୀକୁ ଛଡାଯିବ ନାହିଁ, କଠୋର ଦଣ୍ଡ ମିଳିବା ନେଇ କହିଥିଲେ । ପ୍ରଥମେ ବିଭାଗୀୟ ତଦନ୍ତ ଓ ପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ମିଳିବାକୁ ନେଇ ବିରୋଧୀ ମଧ୍ୟ ଏହାକୁ ଏକ ଆକସ୍ମିକ ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ର ଥାଇପାରେ ବୋଲି ଅଭିଯୋଗ କରିବା ଆରମ୍ଭ କଲେଣି ।

ଏହି ଦୁର୍ଘଟଣାରେ ମୋଟ 275 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 1 ହଜାର ଯାତ୍ରୀ ଆହତ ହୋଇଥିଲେ । ଅଧିକାଂଶ ଆହତ ଚିକିତ୍ସା ପରେ ଡିସଚାର୍ଜ ହୋଇସାରିିଥିଲେ ସୁଦ୍ଧା, ଏବେ ମଧ୍ୟ ଭଦ୍ରକ, ବାଲେଶ୍ବର, କଟକ ଓ ଭୁବନେଶ୍ବର ବିଭିନ୍ନ ହସ୍ପିଟାଲରେ ଅବଶିଷ୍ଟ ଆହତଙ୍କ ଚିକିତ୍ସା ଜାରି ରହିଛି । ଏବେ ମଧ୍ୟ ସମସ୍ତ ମୃତଦେହ ଚିହ୍ନଟ କରାଯାଇପାରି ନାହିଁ । ମୃତଦେହ ସଂରକ୍ଷଣ, ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଭୁବନେଶ୍ବରରେ ଜାରି ରହିଛି । ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବା କାରଣରୁ ମୃତଦେହ ସଂରକ୍ଷିତ ରଖିବା ପାଇଁ ଦିଲ୍ଲୀରୁ ଡାକ୍ତରୀ ଟିମ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details