ହାଇଦ୍ରାବାଦ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଏବେ ବିରୋଧୀ ଯୋଡୋ ଯାତ୍ରାରେ ପରିଣତ ହୋଇଥିବା ମତ ପ୍ରକାଶ ପାଇଛି । ଜଣେ ପରେ ଜଣେ ବିରୋଧୀ ନେତା ଏହି ଯାତ୍ରାରେ ରାହୁଲଙ୍କ ସହ ଯୋଡି ହେବାରେ ଲାଗିଛନ୍ତି । ଆଜି (ମଙ୍ଗଳବାର) ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଉତ୍ତର ପ୍ରଦେଶରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେ ଆଜି ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସେହିପରି ଆଜି ଭାରତୀୟ ଗୁଇନ୍ଦା ସଂସ୍ଥା RAWର ପୂର୍ବତନ ମୁଖ୍ୟ ଅମରଜିତ ସିଂ ଦୁଲାତ ରାହୁଲଙ୍କ ସହ ଯାତ୍ରାରେ ନଜର ଆସିଛନ୍ତି । କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଏକ ଫଟୋ ସହ ସୂଚନା ସେୟାର କରିଛି ।
ସେହିପରି ଅନ୍ୟଜଣେ ବିଜେପି ବିରୋଧୀ ନେତ୍ରୀ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ମଧ୍ୟ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି । ଉତ୍ତର ପ୍ରଦେଶରେ ଯାତ୍ରା ପ୍ରବେଶ କରିସାରିଥିବା ବେଳେ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ଯାତ୍ରାରେ ସାମିଲ ହେବା ନେଇ ନିମନ୍ତ୍ରଣ କରିଛନ୍ତି । ତେବେ ଏନେଇ ଉଭୟ ରାହୁଲଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ରାହୁଲ କହିଥିଲେ ଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ବୁଝିଥିବା ଯେକୌଣସି ଦଳର କାର୍ଯ୍ୟକର୍ତ୍ତା କୌଣସି ସ୍ଥାନରେ ଯେକୌଣସି ଦିନରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରିବେ । ଦେଶର ଏକତାକୁ ପୁଣି ଥରେ ଯୋଡିବା ପାଇଁ ଏହି ଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ବିଶ୍ବାସ କରୁଥିବା ସମସ୍ତଙ୍କୁ ସ୍ବାଗତ ବୋଲି ରାହୁଲ କହିଥିଲେ ।