ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁର ଗସ୍ତରେ ବାହାରି ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାସ୍ତାରେ ଅଟକାଇଛି ମଣିପୁର ପୋଲିସ । ରାହୁଲ ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେଠାରୁ ସର୍ବଧିକ ପ୍ରଭାବିତ ତଥା ହିଂସାର ଉତ୍ପତିସ୍ଥଳ କୁହାଯାଉଥିବା ଚୁରାଚାନ୍ଦପୁର ଜିଲ୍ଲା ଅଭିମୁଖେ ବାହାରିଥିଲେ । ଇମ୍ଫାଲରୁ 20 କି.ମି ଦୂର ବିଷ୍ଣୁପୁର ନିକଟରେ ମଣିପୁର ପୋଲିସ ରାହୁଲଙ୍କ କନଭୟକୁ ଅଟକାଇଥିଲା । ପରେ ରାହୁଲଙ୍କ ଟିମ ପୁଣି ରାଜଧାନୀ ଇମ୍ଫାଲ ଫେରିଆସିଥିବା ଜଣାପଡିଛି । ରାସ୍ତାରେ କୌଣସି ହିଂସାର ଆଶଙ୍କା କରି ମଣିପୁର ପୋଲିସ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡିଛି । ଅନ୍ଯପଟେ ରାହୁଲ ଓ ତାଙ୍କ ଟିମ ପୋଲିସ ପରାମର୍ଶ ଅନୁସାରେ ସଡକ ପରିବର୍ତ୍ତେ ହେଲିକପ୍ଟରର ଇମ୍ଫାଲ ଫେରିଆସିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ଦଳୀୟ ନେତା କେ.ସି ବେଣୁଗୋପାଲ ପ୍ରମୁଖ ଟ୍ବିଟ କରି ରାହୁଲଙ୍କ କାଫିଲାକୁ ପୋଲିସ ରୋକିବା ନେଇ ସ୍ପଷ୍ଟ କରିଛନ୍ତି । ଖଡଗେ କହିଛନ୍ତି, ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ନୀରବତା ଭାଙ୍ଗିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ସେ ମଣିପୁରକୁ ନିଜ ଭାଗ୍ୟ ଉପରେ ଛାଡି ଦେଇଛନ୍ତି । ସେଠାରେ ଡବଲ ଇଞ୍ଜିନ ବିନାଶକାରୀ ସରକାର ଶାସନରେ ରହିଛି । ସେଠାରେ ରାହୁଲ ଗାନ୍ଧୀଙ୍କୁ ରାସ୍ତାରେ ବାଧା ଦେବା ପାଇଁ ନିରଙ୍କୁଶ କ୍ଷମତା ପ୍ରୟୋଗ କରାଗଲା । ମଣିପୁରରେ ଶାନ୍ତି ଦରକାର, ହିଂସା ନୁହେଁ ବୋଲି କହିଛନ୍ତି ଖଡଗେ ।
ରାହୁଲ ଆଜି 29 ତାରିଖ (ଗୁରୁବାର) ଠାରୁ ଦୁଇ ଦିନିଆ ମଣିପୁର ଗସ୍ତରେ ବାହାରିଥିଲେ । ସେ ସେଠାରେ ରାଜଧାନୀ ଇମ୍ଫାଲରେ ସିଭିଲ ସୋସାଇଟ ସଦସ୍ୟଙ୍କୁ ଭେଟି ଆଲୋଚନା କରିବା କିଛି ରିଲିଫ କ୍ୟାମ୍ପ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା କଂଗ୍ରେସ ସୂଚନା ଦେଇଥିଲା । ତେବେ ସେ ଆଜି ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେଠାରୁ ସେ ସର୍ବାଧିକ ତଥା ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଅଭିମୁଖେ ବାହାରିଥିଲେ । ହେଲେ ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା ତାହା ହିଁ ହେଲା । ସୁରକ୍ଷା କାରଣରୁ ରାହୁଲଙ୍କ ଗସ୍ତକୁ ଅନୁମତି ନମିଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜଧାନୀ ଇମ୍ଫାଲ ଠାରୁ 20 କି.ମି ଦୂରରେ ପୋଲିସ ତାଙ୍କୁ ରୋକିବା ସହ ପୁନର୍ବାର ଇମ୍ଫାଲ ଫେରାଇ ଦେଇଛି ।