ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ନେତାଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପୁଛି ରାଜଧାନୀ ଦିଲ୍ଲୀ । ଖୋଦ୍ ଜାତୀୟ କଂଗ୍ରେସ୍ର ଅନ୍ତରୀଣ ଅଧ୍ୟକ୍ଷା ଆନ୍ଦୋଳନରର ନେତୃତ୍ବ ନେଇଛନ୍ତି । ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ବେଳେ ସମାନ ଭାବରେ ବେରୋଜଗାରୀ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ସାଂସଦ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
କଂଗ୍ରେସ ନେତାଏ ରାଷ୍ଟ୍ରପତି ଭବନଆଡ଼କୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ରୋକିଛି ପୋଲିସ । ତା ସହିତ ସଂସଦ ଭବନରେ ମଧ୍ୟ କଂଗ୍ରେସ ନେତା କଳା ପୋଷାକ ପିନ୍ଧି ହାତରେ ବ୍ୟାନର ଧରି GST ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ବହୁ କଂଗ୍ରେସ ସାଂସଦ ଓ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି ।
ରାହୁ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଶଶି ଥରୁରଙ୍କ ଭଳି ନେତା ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଯୋଜନା କରିଥିଲା କଂଗ୍ରେସ । ଏହାକୁ ନଜରରେ ରଖି ଦିଲ୍ଲୀର ବିଜୟ ଚୌକ୍କୁ ନାକାବନ୍ଦୀ କରିଛି ପୋଲିସ । ସମସ୍ତ କଂଗ୍ରେସ କର୍ମୀ ବାହୁରେ କଳା ବ୍ୟାଚ୍ ସହ କଳା ପୋଷାକ ପରିଧାନ କରି ରାଷ୍ଟ୍ରପତି ଭବନ ଆଡ଼କୁ ଅଗ୍ରସର ହେଉଥିଲେ । ତେବେ ଏଥିରେ ସୋନିଆ ଗାନ୍ଧୀ ସାମିଲ ହୋଇନଥିଲେ ।