ଜୟପୁର:ରାଜସ୍ଥାନରେ ପରମ୍ପରା ବଜାୟ ରଖି ରାଜ୍ୟବାସୀ ଶାସକ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ବିରୋଧୀ ବିଜେପିକୁ ଏଥର ଶାସନ କ୍ଷମତା ଦେଇଛନ୍ତି । ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ତାହା ଫଳାଫଳର 24 ଘଣ୍ଟା ପରେ ମଧ୍ୟ ସ୍ପଷ୍ଟ ହୋଇପାରିନି । ପ୍ରଦେଶରେ ଦଳର ସବୁଠୁ ପ୍ରଭାବଶାଳୀ ଚେହେରା ତଥା ଦୁଇଥର ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କ ସମେତ ଏକାଧିକ ବିରିଷ୍ଠ ନେତା ଚଳିତ ଥର ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । ସବୁଠୁ ବଡ କଥା ହେଲେ ଦଳ ବର୍ତ୍ତମାନ ସୁଦ୍ଧା ମଧ୍ୟ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିନି । ଏହାରି ମଧ୍ୟରେ ପୂର୍ବତନ ମଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ଅନୁଗତ ଗୋଷ୍ଠୀ ମଧ୍ୟରେ କିଛି ହଲଚଲ ସାମ୍ନାକୁ ଆସିଛି । ଆଜି ବସୁନ୍ଧାରାଙ୍କ ବାସଭବନରେ ତାଙ୍କର ବହୁ ସମର୍ଥିତ ବିଧାୟକ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଦେଖିବାକୁ ମିଳିଛି ।
ଜୟପୁରର ସିଭିଲ ଲାଇନ-13 ସ୍ଥିତ ବସୁନ୍ଧରାଙ୍କ ବାସଭବନରେ ଆଜି ଏକାଧିକ ଦଳୀୟ ନେତାଙ୍କୁ ଦେଖିବାକୁ ମିଳିଛି । ଆଜି ବସୁନ୍ଧରାଙ୍କୁ ଭେଟିଥିବା ବିଧାୟକଙ୍କ ମଧ୍ୟରେ କାଳିଚରଣ ସରଫ, ବାବୁ ସିଂ ରାଥୋଡ, ପ୍ରେମଚାନ୍ଦ ବୈରଓ୍ବା, ଗୋବିନ୍ଦ ରାଣୀପୁରିଆ, ଲଳିତ ମୀନା,କନଓ୍ବର ଲାଲମୀନା, ରାଧେଶ୍ୟାମ ବୈଇରା, କାଲୁଲାଲ ମୀନା, ସୁରେଶ ରାୱତ, କେ.କେ ବିଷ୍ଣୋଇ, ଭାଗଚାନ୍ଦ ତକାର, ପ୍ରତାପ ସିଂ ସିଂଭି ପ୍ରମୁଖ ନିର୍ବାଚିତ ବିଧାୟକ ଥିଲେ । ଏମାନଙ୍କ ବ୍ୟତୀତ ଦଳର ପୂର୍ବତନ ରାଜ୍ୟ ସଭାପତି ଅଶୋକ ପରନାମୀଙ୍କୁ ମଧ୍ୟ ଆଜି ବସୁନ୍ଧରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ଏହି ସଂଖ୍ୟା ପ୍ରାୟ 20 ହେବା ନେଇ ଚର୍ଚ୍ଚା ହେଉଛି । ସେମାନେ ବସୁନ୍ଧରାଙ୍କ ସହ ଆଲୋଚନା କରିଥିଲେ ।