ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ଲିକର ଫାର୍ମ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ’ ଓଡିଶା ସମେତ ଏକାଧିକ ରାଜ୍ୟରେ ଥିବା ଠିକଣାରୁ ପ୍ରାୟ ସାଢେ 3 ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାକୁ ନେଇ ପୁଣି ମୁଁହ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଏହି ମାମଲାରେ କଂଗ୍ରେସକୁ କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଟ୍ବିଟ କରି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ଦେଶରେ କଂଗ୍ରେସ ଦଳ ରହିଛି ଏହିଭଳି ଟଙ୍କା ହେରଫେର ଘଟଣା ଜାରି ରହିଥିବ । 70 ବର୍ଷ ହେଲା ଲୁଟ ଜାରି ରହିଛି !
ତେବେ ରେଡରେ 351କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିବା ପରେ ଏନେଇ କଂଗ୍ରେସକୁ ବାରମ୍ବାର ଟାର୍ଗେଟ କରିଆସିଛି ବିଜେପି । ଏହା ପୂର୍ବରୁ ମଧ୍ୟ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଟ୍ବିଟ କରିଥିଲେ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏଥିପାଇଁ କଂଗ୍ରେସ ନେତାଙ୍କ ସମେତ ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେବାକୁ ପଡିବ ବୋଲି ନଡ୍ଡା କହିଛନ୍ତି ।" ଏ ନୂଆ ଭାରତ । ଆଇନ ଠାରୁ କେହି ବର୍ତ୍ତି ପାରିବେନାହିଁ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ" ବୋଲି ନଡ୍ଡା କହିଥିଲେ ।