ଓଡିଶା

odisha

ETV Bharat / bharat

ଜି-7 ଶିଖର ସମ୍ମିଳନୀ: ମୋଦିଙ୍କୁ ନିମନ୍ତ୍ରଣ କଲେ ଜନସନ - ପିଏମ ମୋଦି

11ରୁ 13 ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ ଜି-7 ଶିଖର ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେବାକୁ ପିଏମ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅଧିକ ପଢନ୍ତୁ...

ଜି-7 ଶିଖର ସମ୍ମିଳନୀ: ମୋଦିଙ୍କୁ ନିମନ୍ତ୍ରଣ କଲେ ଜନସନ
ଜି-7 ଶିଖର ସମ୍ମିଳନୀ: ମୋଦିଙ୍କୁ ନିମନ୍ତ୍ରଣ କଲେ ଜନସନ

By

Published : Jan 17, 2021, 3:12 PM IST

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପିଏମ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । 11ରୁ 13 ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ସମ୍ମିଳନୀ । ଜି-7 ଶିଖର ସମ୍ମିଳନୀରେ ବିଶ୍ବର 7 ପ୍ରମୁଖ ଦେଶର ରାଷ୍ଟ୍ରମୁଖ୍ୟ କୋରୋନା ଭାଇରସ ସଂକଟ ଓ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା କରିବେ ।

ଚଳିତ ଥର ଜି-7 ଶିଖର ସମ୍ମିଳନୀରେ ଭାରତ ସମେତ ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ମଧ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ବିଶ୍ବର ଚାହିଦା ଅନୁଯାୟୀ ଭାରତ ପୂର୍ବରୁ ହିଁ 50 ପ୍ରତିଶତ ଭ୍ୟାକ୍ସିନର ଆବଶ୍ୟକତାକୁ ପୁରା କରୁଛି । ୟୁକେ ଓ ଭାରତ କୋରୋନା ମହାମାରୀ ସଙ୍କଟ ସମୟରେ ମିଳିମିଶି କାମ କରୁଛନ୍ତି । ତେବେ ଜି-7 ସମ୍ମିଳନୀ ପୂର୍ବରୁ ଭାରତ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ଜନସନ । ଚଳିତ ଥର ଗଣତନ୍ତ୍ର ଦିବସରେ ଜନସନଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା । ହେଲେ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସେ ନିଜ ଗସ୍ତ ରଦ୍ଧ କରିସାରିଛନ୍ତି ।

ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟମାନେ ବ୍ରିଟେନରେ ଏକାଠି ହୋଇ ଚ୍ୟାଲେଞ୍ଜର ମୁକାବିଲା କରିବା ଦିଗରେ ଗୁରୁତ୍ବ ଦେବେ। ସମସ୍ତ ବଡ ନେତା କୋରୋନାକୁ ପ୍ରତିହତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ବିଷରେ ଆଲୋଚନା କରିବେ। ଏଥି ସହିତ ଏହା ବାଣିଜ୍ୟ, ବୈଷୟିକ ପରିବର୍ତ୍ତନ ଏବଂ ବୈଜ୍ଞାନିକ ଆବିଷ୍କାର ଦ୍ବାରା ସବୁଠାରେ ଲୋକମାନେ ଯେପରି ଉପକୃତ ହୋଇପାରିବେ ଏହା ସୁନିଶ୍ଚିତ କରାଯିବ ।

ବ୍ରିଟେନ ପାଇଁ ଅନ୍ତରାଷ୍ଟ୍ରୀୟ ନେତୃତ୍ବ ଦୃଷ୍ଟିରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ । ଚଳିତ ବର୍ଷ ଫେବୃଆରୀରେ G7 ଶିଖର ସମ୍ମିଳନୀ ସହିତ ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବ ଏବଂ ଚଳିତ ବର୍ଷ ଶେଷରେ ଗ୍ଲାସଗୋରେ CoP-26ର ନେତୃତ୍ବ ନେବ । ବିକାଶଶୀଳ ଦେଶମାନଙ୍କରେ ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ଏକ ବିଶ୍ବସ୍ତରୀୟ ଶିକ୍ଷା ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଜି -7 ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ସମେତ ବିଶ୍ବର ସାତୋଟି ବୃହତ ବିକଶିତ ଅର୍ଥନୈତିକ ଦେଶର ଗୋଷ୍ଠୀ | ଏହାକୁ ଗ୍ରୁପ୍ ଅଫ୍ ସେଭେନ ମଧ୍ୟ କୁହାଯାଏ | ପ୍ରଥମେ ଏହା 6ଟି ଦେଶର ଗୋଷ୍ଠୀ ଥିଲା, ଯାହାର ପ୍ରଥମ ବୈଠକ 1975ରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଗୋଟିଏ ବର୍ଷ ପରେ 1976 ରେ କାନାଡା ଏହି ଗୋଷ୍ଠୀରେ ଯୋଗଦାନ କରିବା ପରେ ଏହା ଜି-7 ହେଲା ।

ABOUT THE AUTHOR

...view details