ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) କର୍ଣ୍ଣାଟକ ଗସ୍ତରେ ଯିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୬ ହଜାର କୋଟି ଟଙ୍କା ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଲୋକାର୍ପଣ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ମାଣ୍ଡ୍ୟା ଠାରେ ପ୍ରମୁଖ ସଡକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ । ପରେ ଅପରାହ୍ନ ପ୍ରାୟ ୩.୧୫ ମିନିଟରେ ମୋଦି ହୁବଳି ଧରୱାଡ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।
ମାଣ୍ଡ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ନିଜ ଗସ୍ତ ଅବସରର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ - ମହୀଶୁର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ଏନଏଚ -୨୭୫ର ବେଙ୍ଗାଲୁରୁ - ନିଦଘଟ୍ଟା-ମହୀଶୂର ବିଭାଗର ୬-ଲେନ ବିଶିଷ୍ଟ ସଡକ ଅନ୍ତର୍ଭୁକ୍ତ ରହିଛି । ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ୧୧୮ କିଲୋମିଟରର ଏହି ଦୀର୍ଘ ପ୍ରକଳ୍ପର ବିକାଶ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ ମହୀଶୁର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ମାଇଲଖୁଣ୍ଟ ହେବ ।
ମହୀଶୂରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କାର୍ଯ୍ୟକ୍ରମ କୁଶଲନଗରରେ ୪ ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୯୨ କିଲୋମିଟରରୁ ଅଧିକ ଦୀର୍ଘ ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ବେଙ୍ଗାଲୁରୁ ଏବଂ କୁଶଲନଗର ମଧ୍ୟରେ ସଂଯୋଗ ବୃଦ୍ଧିରେ ଏହି ପ୍ରକଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ରାସ୍ତା ହେଲେ ବେଙ୍ଗାଲୁରୁ ଓ କୁଶଲନଗର ମଧ୍ୟରେ ଏହା ଯାତ୍ରା ସମୟ ୫ ଘଣ୍ଟାରୁ ହ୍ରାସ ପାଇ ୨.୫ ଘଣ୍ଟା ହୋଇଯିବ ।
ହୁବଳି ଧାରୱାଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ:ପ୍ରଧାନମନ୍ତ୍ରୀ ଆଇଆଇଟି ଧାରୱାଡକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷର ବି.ଟେକ ପାଠ୍ୟକ୍ରମ, ଆନ୍ତଃ ଶୃଙ୍ଖଳାଗତ ୫ ବର୍ଷିଆ ବିଏସ,ଏମଏସ ପାଠ୍ୟକ୍ରମ, ଏମଟେକ ଓ ପିଏଚଡି ପାଠ୍ୟକ୍ରମ ପ୍ରଦାନ କରୁଛି ।
ପରେ ପ୍ରଧାନମନ୍ତ୍ରୀ ଶ୍ରୀସିଦ୍ଧରୁଦ୍ଧ ସ୍ୱାମିଜୀ ହୁବଳି ଷ୍ଟେସନ ଠାରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନିକଟରେ ଗିନିଜ ବୁକ ଅଫ ୱର୍ଲ୍ଡ ରେକର୍ଡ ଦ୍ୱାରା ଏହି ରେକର୍ଡକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ୧୫୦୭ ମିଟର ଦୀର୍ଘ ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।
ଏହି ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ହୋସାପେଟ-ହୁବଳି-ତିନାଇଘାଟ ବିଭାଗର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ କାର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ ଉପରେ ପ୍ରତିବନ୍ଧକ ବିହୀନ ଟ୍ରେନ ଚଳାଚଳ କାର୍ଯ୍ୟକୁ ସମ୍ପନ୍ନ କରିବ । ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀ ମାନଙ୍କୁ ସୁବିଧାଜନକ ଏବଂ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବ । ଏହାକୁ ହାମ୍ପି ସ୍ମାରକୀ ସଦୃଶ ଡିଜାଇନ କରାଯାଇଛି ।
ଏହା ବ୍ୟତୀତ ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦଘାଟନ ସହ ଭିତ୍ତି ଶିଳାନ୍ୟାସ କରିବେ ମୋଦି । ଏହି ପ୍ରକଳ୍ପ ଗୁଡିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୨୦ କୋଟି ଟଙ୍କା ରହିଛି । ଏହି ପ୍ରୟାସ ଗୁଡିକ ସ୍ୱଚ୍ଛତା, ନିରାପଦ ଏବଂ କାର୍ଯ୍ୟକ୍ଷମ ସର୍ବସାଧାରଣ ସ୍ଥାନ ସୃଷ୍ଟି କରି ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ ସହରକୁ ଏକ ଭବିଷ୍ୟବାଦୀ ସହରୀ କେନ୍ଦ୍ରରେ ପରିଣତ କରିବ ।
ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନାର ବିକାଶ କରାଯିବ । ଏହା ଏହି ଅଞ୍ଚଳର ଲୋକ ମାନଙ୍କୁ ତୃତୀୟ ସ୍ତରର ହୃଦରୋଗ ସମ୍ବନ୍ଧିତ ସେବା ଯୋଗାଇବ । ଏହି ଅଞ୍ଚଳରେ ଜଳ ଯୋଗାଣକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଧରୱାଡ ଏକାଧିକ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହା ୧୦୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ । ୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଟୁପାରୀହଲ୍ଲା ବନ୍ୟା କ୍ଷୟକ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ହ୍ରାସ କରିବାର ଲକ୍ଷ୍ୟ ରଖେ ଏବଂ ଏହା ମଧ୍ୟରେ ପ୍ରାଚୀର ଏବଂ ବନ୍ଧ ନିର୍ମାଣ ସମ୍ପୃକ୍ତ ଅଛି । ଶେଷରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ।