ନୂଆଦିଲ୍ଲୀ:ଭାରତୀୟ ନ୍ୟାୟିକ ପ୍ରକ୍ରିୟାରେ ଏକ ବଡ ସଂଶୋଧନମୂଳକ ପ୍ରସ୍ତାବ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶରେ ସର୍ବଭାରତୀୟ ନ୍ୟାୟିକ ସେବା ପରୀକ୍ଷା ମାଧ୍ୟମରେ ବିଚାରପତି ଚୟନ ହୁଅନ୍ତୁ ବୋଲି ରାଷ୍ଟ୍ରପତି ପ୍ରସ୍ତାବମୂଳକ ମତ ରଖିଛନ୍ତି । ଆଜି ସର୍ବୋଚ୍ଚ କୋର୍ଟରେ ଆୟୋଜିତ ‘ସମ୍ବିଧାନ ଦିବସ’ର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମତବ୍ୟକ୍ତ କରିଛନ୍ତି ।
ଆଜି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ରାଷ୍ଟ୍ରପତି ମୁର୍ମୁ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । କହିଛନ୍ତି,‘‘ ଦେଶରେ ଏକ ସର୍ବଭାରତୀୟ ନ୍ୟାୟିକ ସେବା କାର୍ଯ୍ୟକାରୀ କରାଯାଇପାରେ । ଯାହା ଦ୍ବାରା ପ୍ରତିଭାଶାଳୀ ଯୁବପିଢିଙ୍କୁ ନ୍ୟାୟିକ ପ୍ରକ୍ରିୟା ମଧ୍ୟକୁ ଚୟନ କରାଯାଇପାରିବ । ସେମାନଙ୍କର ପ୍ରତିଭାକୁ ନିମ୍ନସ୍ତରରୁ ଉଚ୍ଚସ୍ତରକୁ ପ୍ରୋତ୍ସାହିତ କରାଯାଇପାରିବ । ଯେଉଁମାନେ ଖଣ୍ଡପୀଠରେ ସାମିଲ ହୋଇ ନ୍ୟାୟିକ ବ୍ୟବସ୍ଥାରେ ଆସିବାକୁ ଚାହାଁନ୍ତି, ସେମାନଙ୍କୁ ଏହା ମାଧ୍ୟମରେ ସମଗ୍ର ଦେଶରୁ ଚୟନ କରାଯାଇପାରିବ । ଏହି ସର୍ବଭାରତୀୟ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଅଳ୍ପ ପ୍ରତିନିଧିତ୍ବ ପାଉଥିବା ସାମାଜିକ ଗୋଷ୍ଠୀକୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇପାରିବ ।’’
ଏବେ ଦେଶରେ ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ ଓ ସମସ୍ତ ସ୍ତରରେ ଉପଲବ୍ଧ କରାଇବା ନେଇ ମଧ୍ୟ ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି । କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାକୁ ନାଗରିକ କୈନ୍ଦ୍ରିକ କରିବାକୁ ହେବ । ନ୍ୟାୟ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଏପରି ହେବା ସମ୍ଭବ ହେଲା ସାମାନତା ମଧ୍ୟ ବୃଦ୍ଧି ପାଇବ । ଭାରତୀୟ ସମାଜର ବିବିଧତା ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି । ଉଭୟ ଖଣ୍ଡପୀଠ ଓ ବାର କାଉନସିଲରେ ସାମାଜିକ ବିବିଧତାର ପ୍ରତିନିଧିତ୍ବ ନ୍ୟାୟ ପ୍ରଦାନ ପ୍ରଣାଳୀକୁ ଆହୁରି ତ୍ବରିତ କରିପାରିବା ନେଇ ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ, ସର୍ବୋଚ୍ଚ କୋର୍ଟର ଅନ୍ୟ ବିଚାରପତିବୃନ୍ଦ ଓ ବରିଷ୍ଠ ଆଇନଜୀବୀମାନେ ଅଂଶଗ୍ରହଣ କରିଥିଲେ ।