ନୂଆଦିଲ୍ଲୀ: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର...ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ । ଆଜି ଗୁରୁ ଦୁବସ । ଗୁରୁଙ୍କୁ ସମ୍ମାନିତ କରିବାର ଦିନ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଦେଶରେ 75 ଜଣ ଶିକ୍ଷକଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମନୋନିତ ଶିକ୍ଷକଙ୍କୁ ସମ୍ମାନିତ କରାଯିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ସମ୍ମାନଜନକ ପୁରସ୍କାର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଚୟନ ହୋଇଥିବା ଶିକ୍ଷକଙ୍କ ମଧ୍ୟରେ 50 ଜଣ ସ୍କୁଲ ଶିକ୍ଷକ, 12 ଜଣ ଉଚ୍ଛ ଶିକ୍ଷା ବିଭାଗ ଶିକ୍ଷକ ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର 12 ଜଣ ଶିକ୍ଷକ ରହିଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାରୁ 2 ଜଣ ଶିକ୍ଷକ ଥିବା ବେଳେ 2 ଜଣ ପ୍ରଶିକ୍ଷକ ଅଛନ୍ତି । ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ । ସେହିପରି ଦୁଇ ପ୍ରଶିକ୍ଷକ ହେଉଛନ୍ତି କଟକ ଜିଲ୍ଲା ଆଠଗଡରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଥିବା ଆଇଟିଆଇର ପ୍ରଶିକ୍ଷକ ରବିନାରାୟଣ ସାହୁ ଓ ଭୁବନେଶ୍ବର ସରକାରୀ ଆଇଟିଆଇର ପ୍ରଶିକ୍ଷକ ସୁନୀତା ସିଂହ ।