ନୂଆଦିଲ୍ଲୀ: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President condoles the demise of Raju Srivastav)। ଟ୍ବିଟ କରି ରାଷ୍ଟ୍ରପତି ଶୋକବ୍ୟକ୍ତ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, ‘‘ତାଙ୍କ ହାସ୍ୟ ଅଭିନୟ ସାରା ଦେଶର ଦର୍ଶକଙ୍କ ଦ୍ବରା ଆଦୃତି ଲାଭ କରିଥିଲା । ସେ ଦେଶରେ ହାସ୍ୟ ଅଭିନୟକୁ ଏକ ଭିନ୍ନ ତଥା ନୂଆ ପରିଚୟ ଦେଇ ପାରିଥିଲେ । ତାଙ୍କର ଅକାଳ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି । ଏପରି ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୁଁ ସମବେଦନା ଜଣାଉଛି ।’’
ଗତ ପ୍ରାୟ ଏକ ମାସ ଧରି ସେ ଅସୁସ୍ଥ ଥିବା ବେଳେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ । ନିକଟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଆଜି ପୂର୍ବାହ୍ନରେ ତାଙ୍କର ମାତ୍ର 58 ବର୍ଷ ବୟସରେ ମୃତ୍ୟୁ ହୋଇଛି । କିଛି ସମୟ ପୂର୍ବରୁ ରାଜୁଙ୍କ ମରଶରୀରକୁ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ଆସନ୍ତାକାଲି ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମଧ୍ୟ ପରିବାର ପକ୍ଷରୁ ସୂଚନା ମିଳିଛି (Funeral of Raju Srivastav to be held tomorrow )।
ରାଜୁଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ବଲିଉଡ ଜଗତରେ ଷ୍ଟାଣ୍ଡଅଫ୍ କମେଡିର ଏକ ନୂଆ ଧାରା ସୃଷ୍ଟି କରିଥିବା ରାଜୁଙ୍କ ଅକାଳ ବିୟୋଗରେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି ।