ରାଞ୍ଚି: କର୍ତ୍ତବ୍ୟନିଷ୍ଠା ସର୍ବୋପରି । ଯେତେବେଳେ କର୍ତ୍ତବ୍ୟର କଥା ଆସେ ସେତେବେଳେ ରୋଗ ଯନ୍ତ୍ରଣା ସବୁକିଛିକୁ ଭୁଲିବାକୁ ପଡେ । ଯନ୍ତ୍ରଣା ଉପରେ କର୍ତ୍ତବ୍ୟ ଭାରି ପଡ଼ିବା ପରେ ଶେଷରେ ପତ୍ନୀଙ୍କ କାନ୍ଧରେ ଆସି ବୁଥ ନିକଟରେ ପହଞ୍ଚିଛନ୍ତି ପୋଲିଂ ଅଧିକାରୀ । ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଜଣେ କର୍ମଚାରୀଙ୍କୁ ଏପରି ଢଙ୍ଗରେ ବୁଥ ନିକଟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ଉପସ୍ଥିତ ସମସ୍ତେ ତାଙ୍କୁ କରିଛନ୍ତି ବାଃ ବାଃ । ତେବେ ସେ ଅସୁସ୍ଥତା ଯୋଗୁଁ ଛୁଟି ଆବେଦନ କରିଥିଲେ । ମାତ୍ର ଛୁଟି ନ ମିଳିବା ପରେ ସେ ଏପରି ଅବସ୍ଥାରେ ବୁଥ ନିକଟରେ ପହଞ୍ଚିଥିଲେ ।
ଚତରା ଜିଲ୍ଲାର ୩ଟି ବ୍ଲକରେ ମତଦାନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ଯେତେବେଳେ ମନୋଜ ଓରାଁୱ ତାଙ୍କ ପତ୍ନୀଙ୍କ ପିଠିରେ କାନ୍ଧେଇ ହୋଇ କଲେଜ ପରିସରରେ ପହଞ୍ଚିଲେ, ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖି ତାଙ୍କ ଉପରେ ଲାଖି ଯାଇଥିଲା । ମନୋଜ ଓରାଁୱ CCL ର ଅଶୋକା ଓସିପି (ପିପାରୱାର ୟୁନିଟ୍) ରେ ହେଲପର ଭାବରେ କାର୍ଯ୍ୟ କରୁଛନ୍ତି । ନିକଟରେ ତାଙ୍କ ପାଦରେ କୌଣସି କାରଣ ଯୋଗୁଁ ଆଘାତ ଲାଗିବା ପରେ ସେ ଚାଲିବାକୁ ଅସମର୍ଥ ହୋଇପଡ଼ିଥିଲେ । ଏ ନେଇ ସେ ଛୁଟି ଆବେଦନ ମଧ୍ୟ କରିଥିଲେ । ମାତ୍ର ଏହା ସତ୍ତ୍ବେ ତାଙ୍କୁ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।