ଓଡିଶା

odisha

ETV Bharat / bharat

କୋଭିଡ ମୁକାବିଲାରେ ଭାରତ ବିଫଳ କାହିଁକି ? ନୀତିର ପୁନର୍ବିଚାର ଆବଶ୍ୟକ - କୋଭିଡ ମୁକାବିଲା

ଦେଶରେ ଦୁଇ ସପ୍ତାହ ଭିତରେ 50 ଲକ୍ଷ ନୂଆ ମାମଲା ଆସିବା ସହ କୋଭିଡ ମହାମାରୀ ଏକପ୍ରକାର ମୃତ୍ୟୁର ବାଜା ବଜାଇବାରେ ଲାଗିଛି । ସର୍ବାଧିକ କୋଭିଡ ମୃତ୍ୟୁ କ୍ଷେତ୍ରରେ ଆମେରିକା ଓ ବ୍ରାଜିଲ ପ୍ରଥମ ଦୁଇଟି ସ୍ଥାନରେ ଥିବା ବେଳେ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦୁଃଖର ସହିତ କହିବାକୁ ପଡୁଛି ଯେ, କୋରୋନାର ଦ୍ବିତୀୟ ଲହରୀରରେ ସାରା ବିଶ୍ବରେ କୋଭିଡରେ ଯେତିକି ମୃତ୍ୟୁ ବରଣ କରିଛନ୍ତି ସେଥିମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ଭାରତର । ଅଧିକ ପଢନ୍ତୁ...

କୋଭିଡ ମୁକାବିଲାରେ ଭାରତ ବିଫଳ କାହିଁକି? ନୀତିର ପୁନର୍ବିଚାର ଆବଶ୍ୟକ
କୋଭିଡ ମୁକାବିଲାରେ ଭାରତ ବିଫଳ କାହିଁକି? ନୀତିର ପୁନର୍ବିଚାର ଆବଶ୍ୟକ

By

Published : May 6, 2021, 11:09 AM IST

ଦେଶରେ ଦୁଇ ସପ୍ତାହ ଭିତରେ 50 ଲକ୍ଷ ନୂଆ ମାମଲା ଆସିବା ସହ କୋଭିଡ ମହାମାରୀ ଏକପ୍ରକାର ମୃତ୍ୟୁର ବାଜା ବଜାଇବାରେ ଲାଗିଛି । ସର୍ବାଧିକ କୋଭିଡ ମୃତ୍ୟୁ କ୍ଷେତ୍ରରେ ଆମେରିକା ଓ ବ୍ରାଜିଲ ପ୍ରଥମ ଦୁଇଟି ସ୍ଥାନରେ ଥିବା ବେଳେ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦୁଃଖର ସହିତ କହିବାକୁ ପଡୁଛି ଯେ, କୋରୋନାର ଦ୍ବିତୀୟ ଲହରୀରରେ ସାରା ବିଶ୍ବରେ କୋଭିଡରେ ଯେତିକି ମୃତ୍ୟୁ ବରଣ କରିଛନ୍ତି ସେଥିମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ଭାରତର ।

କୋଭିଡ୍ ପ୍ରଥମ ଲହରୀର ପ୍ରଭାବ କିଛିଟା କମିବା ମାତ୍ରେ ସରକାର ସମସ୍ତ କୋଭିଡ ପ୍ରତିଷେଧକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭୁଲିଗଲେ । ଏବେ ଦେଶବାସୀଙ୍କୁ କୋଭିଡ ସଂକଟ ଭିତରେ ଯେଭଳି ଗତି କରିବାକୁ ପଡୁଛି ସେଥିପାଇଁ ସରକାରୀ ଅବହେଳାକୁ ଦାୟୀ କରାଯାଉଛି । ସାରା ବିଶ୍ବରେ ଭାରତ ଟିକା ଉତ୍ପାଦନରେ ସବୁଠାରୁ ଆଗରେ ଥିବା କୁହାଯାଉଛି । ଆମ ନେତାମାନଙ୍କ ଅଦୂରଦର୍ଶୀ ନୀତି କାରଣରୁ ଦେଶରେ ଏବେ ଭୟଙ୍କର ଭାବେ କୋଭିଡ୍ ଟିକାର ଅଭାବ ଦେଖାଯାଇଛି ।

ପର୍ଯ୍ୟାୟକ୍ରମେ କେନ୍ଦ୍ର ସରକାର ଟୀକାକରଣରେ ବୟସ ସୀମା କୋହଳ କରିଛନ୍ତି । 18ରୁ 45 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣର ଦାୟିତ୍ବରୁ କେନ୍ଦ୍ର ସରକାର ଯେଭଳି ଭାବେ ନିଜକୁ ଦୂରେଇ ରଖୁଛନ୍ତି ତାହାକୁ ନେଇ ଅନେକ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଟିକା ବିତରଣ କରିବା ଦାୟିତ୍ବ ରାଜ୍ୟ ସରକାରଗୁଡ଼ିକୁ ଦେବା ଲାଗି କେନ୍ଦ୍ରର ଉଦ୍ୟମ ଏବଂ ଏଥିସହିତ ଟିକାର ଦର ନିର୍ଦ୍ଧାରଣ କ୍ଷମତା ଟିକା ଉତ୍ପାଦନକାରୀଙ୍କ ହାତରେ ଛାଡିଦେବା ନିଷ୍ପତ୍ତି ବିପଜ୍ଜନକ ବୋଲି ସେମାନେ ମତ ରଖିଛନ୍ତି ।

ଯୁଗ ଯୁଗ ଧରି ଚଳି ସାର୍ବଜନୀନ ଟୀକାକରଣ ବ୍ୟବସ୍ଥା ଚଳି ଆସୁଥିବା ବେଳେ କୋଭିଡ୍ ଟିକାଦାନକୁ କାହିଁକି କେନ୍ଦ୍ର ସରକାର ଏଥିରୁ ଅଲଗା କରି ରଖିଛନ୍ତି ବୋଲି ସୁପ୍ରିମ କୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ଅନୁସରଣ କରାଯାଉଥିବା ନୀତିର ପୁନର୍ବିଚାର କରିବା ଆବଶ୍ୟକ ବୋଲି ମଧ୍ୟ ସୁପ୍ରିମ କୋର୍ଟ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଭଳି ଦୁର୍ବଳ ଶ୍ରେଣୀର ଲୋକଙ୍କ କଥା ଉଲ୍ଲେଖ କରି ଏବଂ ଟୀକାକରଣର ମୂଳ ଲକ୍ଷ୍ୟ ଜନସ୍ବାସ୍ଥ୍ୟକୁ ସୁରକ୍ଷିତ କରିବା ଦର୍ଶାଇ କୋର୍ଟ ପଚାରିଛନ୍ତି “ଟିକା କିଣିବା ପାଇଁ ଗରିବ ଲୋକେ କେଉଁଠୁ ସମ୍ବଳ ଯୋଗାଡ କରିବେ?”

ଭାରତୀୟ ସମ୍ବିଧାନରେ ଜୀବନ ପ୍ରତି ସୁରକ୍ଷା ନେଇ ଯାହା କୁହାଯାଇଛି କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତିରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିବା ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଅନୁଭବ କରିଛନ୍ତି । କୋଭିଡର ବିଷଦାନ୍ତରୁ ଦେଶକୁ ବଞ୍ଚାଇବାକୁ ହେଲେ ବର୍ତ୍ତମାନ ଅନ୍ତତଃ ସରକାରଙ୍କୁ ତାଙ୍କ ଆଖି ଖୋଲା ରଖିବାକୁ ପଡ଼ିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ 2000ରୁ ଅଧିକ କୋଭିଡ୍ ହସ୍ପିଟାଲରେ 4 ଲକ୍ଷ 68 ହଜାର ଶଯ୍ୟା ରହିଛି ବୋଲି ମୋଦି ସରକାର କୋର୍ଟଙ୍କୁ ସୂଚାଇଛନ୍ତି । ଯଦିଓ ସରକାର ଦାବି କରିଛନ୍ତି କୋଭିଡ୍ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସକାଶେ ତିନି ସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି, କିନ୍ତୁ ପ୍ରକୃତ କଥା ହେଉଛି ମହାମାରୀ ପ୍ରଭାବରେ ସାରା ଦେଶରେ ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡିଛି ଏବଂ ସକ୍ରିୟ କୋଭିଡ୍ ମାମଲା ସଂଖ୍ୟା 35 ଲକ୍ଷ ଟପି ସାରିଲାଣି ।

ହସ୍ପିଟାଲରେ ବେଡ୍ ନଥିବାରୁ ଏବଂ ଅକ୍ସିଜେନ୍ ନମିଳିବା କାରଣରୁ ହଜାର ହଜାର ରୋଗୀଙ୍କ ମୃତ୍ୟୁ ଘଟିବା ନିଃସନ୍ଦେହରେ ମାନବକୃତ ବିପର୍ଯ୍ୟୟ ନୁହେଁ ତ ଆଉ କ’ଣ କହିବା ? ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ତତକାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଯଦିଓ କୋରୋନା ଭାଇରସ୍ ଉପରେ ପରିହାସମୂଳକ ମନ୍ତବ୍ୟ ଦେଇ ଅନେକ କ୍ଷତିର ସମ୍ମୁଖୀନ ହୋଇଥିଲେ, ତଥାପି ତାଙ୍କ ପ୍ରଶାସନ “ରାପ୍ ସ୍ପିଡ୍” ନାମକ ଏକ ଯୋଜନା ଅଧିନରେ ଟିକା ଉତ୍ପାଦନ ଓ ଏହା ଉପରେ ଗବେଷଣା ଲାଗି 2000 କୋଟି ଆମେରିକୀୟ ଡଲାର ବ୍ୟବସ୍ଥା କରିଥିଲେ । ଟ୍ରମ୍ପ ପ୍ରଶାସନ ନେଇଥିବା ସେଦିନର ପଦକ୍ଷେପ ପାଇଁ ଆଜି ଆମେରିକା ନିରାପଦ ଅନୁଭବ କରୁଛି । ଇସ୍ରାଏଲ ଭଳି ରାଷ୍ଟ୍ର ଟିକା ଉତ୍ପାଦନ ପାଇଁ ଗତବର୍ଷ ମେ ମାସରୁ ହିଁ ଟିକା ଉତ୍ପାଦନକାରୀଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଅଗ୍ରୀମ ଆକାରରେ ପ୍ରଦାନ କରି ସାରିଛି । ଏସବୁ ରାଷ୍ଟ୍ର ମଧ୍ୟ ଆଜି ସୁରକ୍ଷିତ ଅନୁଭବ କରୁଛନ୍ତି ।

ଆଜି ଯାଏଁ ବିଶ୍ବରେ 116 କୋଟି ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି । ଦେଶବାସୀଙ୍କୁ ଟିକା ଦେବାରେ ବିଭିନ୍ନ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ 74ତମ ସ୍ଥାନରେ ରହିଛି । ନେତୃତ୍ବର ଦୂରଦୃଷ୍ଟି ଅଭାବ କାରଣରୁ ଭାରତର ଲୋକଙ୍କୁ ଜୁଲାଇ ମାସ ଯାଏଁ ଟିକା ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ। ଅକ୍ସିଜେନ୍ ଓ ଜୀବନ ପ୍ରଦାନକାରୀ ଔଷଧ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ କିଛି ରାଷ୍ଟ୍ର ପଠାଇଥିବା 300 ଟନ୍ ଜରୁରୀ ମେଡିକାଲ୍ ସରଞ୍ଜାମ ଗତ କିଛି ଦିନ ହେଲା ଦିଲ୍ଲୀ ବିମାନବନ୍ଦରରେ ପଡ଼ି ରହିଛି । ଏପରି ଖାମଖିଆଲ ମନୋଭାବ ନିଶ୍ଚିତ ଭାବେ ଲୋକଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି କରିବ । ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥିବା ଏପରି କାଳକ୍ଷେପଣ ମନୋଭାବ ଦୂର କରିବାକୁ ସରକାର ତୁରନ୍ତ କାର୍ଯ୍ୟ କରିବା ଉଚିତ୍ । ଯଦି ସରକାର କୋଭିଡ ମହାମାରୀ ନିୟନ୍ତ୍ରଣକୁ ଆଣିବାକୁ ଚାହାଁନ୍ତି ତେବେ ସେମାନେ ଏଥିପାଇଁ ବୈଜ୍ଞାନିକ ଉପାୟରେ ଏକ ସୁଚିନ୍ତିତ ଯୋଜନା ପ୍ରଣୟନ କରି ତାହା ଅନୁସରଣ କରିବା ଉଚିତ ।

ABOUT THE AUTHOR

...view details