ଓଡିଶା

odisha

ETV Bharat / bharat

ଘାଟିରେ ପୋଲିସ ଉପରକୁ ଗୁଳିମାଡ: କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କଲା ସେନା

ଘାଟିରେ ପୋଲିସ କର୍ମୀଙ୍କୁ ଗୁଳିମାଡ ପରେ ସର୍ଚ୍ଚ ଅପରେସନ ଜାରି । ଆରମ୍ଭ ହୋଇପାରେ ଏନକାଉଣ୍ଟର । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 9, 2023, 10:47 PM IST

ଘାଟିରେ ପୋଲିସ କର୍ମୀଙ୍କୁ ଗୁଳିମାଡ : ସର୍ଚ୍ଚ ଅପରେସନ ଆରମ୍ଭ
ଘାଟିରେ ପୋଲିସ କର୍ମୀଙ୍କୁ ଗୁଳିମାଡ : ସର୍ଚ୍ଚ ଅପରେସନ ଆରମ୍ଭ

ଶ୍ରୀନଗର:ଘାଟିରେ ପୋଲିସ କର୍ମୀଙ୍କୁ ଗୁଳିମାଡ କରିଛନ୍ତି ଆତଙ୍କବାଦୀ । ଆଜି ସଂଧ୍ୟାରେ ଶ୍ରୀନଗର ବେମିନା ଏରିଆରେ ନିୟୋଜିତ ଥିବା ଜଣେ ପୋଲିସ କନେଷ୍ଟବଳଙ୍କୁ ଅଜଣା ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ମାତ୍ର ପୋଲିସ କର୍ମୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇଁ ଉକ୍ତ ସ୍ଥାନରେ ଆତଙ୍କବାଦ ନିରୋଧୀ ଅପରେସନ ଆରମ୍ଭ କରାଯାଇଛି । ଘଟଣାସ୍ଥଳରେ ଫୋର୍ସ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଏକାଧିକ ସଶସ୍ତ୍ର ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆବଶ୍ୟକ ପଡିଲେ ଆଜି ରାତିରେ ଏନକାଉଣ୍ଟର ମଧ୍ୟ ହୋଇପାରେ ।

ସ୍ଥାନୀୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀର ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ମହମ୍ମଦ ହାଫିଜ କାର୍ଯ୍ୟରେ ଥିବା ବେଳେ ତାଙ୍କୁ ଅଜଣା ଆତଙ୍କବାଦୀ ଟାର୍ଗେଟ କରି ଗୁଳିମାଡ କରିଥିଲେ । ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲେ ସୁଦ୍ଧା ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ସେନା ଅପରେସନ ମଧ୍ୟ ଆରମ୍ଭ କରିଛନ୍ତି । ଘଟଣାସ୍ଥଳକୁ କର୍ଡନ କରି ରଖାଯାଇଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :-ISIS ଲିଙ୍କ୍‌: ମହାରାଷ୍ଟ୍ର ଓ କର୍ଣ୍ଣାଟକର 40ରୁ ଅଧିକ ଆଡ୍ଡାରେ NIA ଚଢାଉ, 15ରୁ ଅଧିକ ସନ୍ଦିଗ୍ଧ ଗିରଫ

ନିକଟରେ ଏକାଧିକ ଏନକାଉଣ୍ଟରରେ ସେନାକୁ ସଫଳତା ମିଳିଥିଲେ ସୁଦ୍ଧା ଘାଟିରେ ଆତଙ୍କୀ ଆକ୍ରମଣ ଘଟଣା ମଧ୍ୟ ନଜିର ରହିଛି । ପୁଲଓ୍ବାମା, ରଜୌରୀ ଓ ଶ୍ରୀନଗରେ ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀ ଟାର୍ଗେଟ କିଲିଂ କରୁଛନ୍ତି । ଅନ୍ୟପଟେ ଶୀତଋତୁରେ ପ୍ରତିକୂଳ ପାଗ, ତୁଷାରପାତ ଓ ଲୋ-ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । ତେଣୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଓସି) ରେ ସୀମା ସୁରକ୍ଷା ବଳ (BSF) ପାଟ୍ରୋଲିଂକୁ କଡାକଡି କରିଛି । ଏହାରି ମଧ୍ୟରେ ସୀମାପାର ଆତଙ୍କୀଙ୍କ ସଂଖ୍ୟା ଘାଟିରେ ହ୍ରାସ ପାଇଥିବା ପୋଲିସ କହିଛି । ଅନୁପ୍ରବେଶ ରୋକିବା ସହ ସ୍ଥାନୀୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ ଓ ସେନା ।କ୍ରମାଗତ ସଫଳତା ମଧ୍ୟ ମିଳୁଛି । କିଛି ଘଟଣାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପୋଲିସ ଓ ଯବାନ ଶହୀଦ ମଧ୍ୟ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details