ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ବରମୁଲ୍ଲାର ସୋପୋରରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବାର ଓଭରଗ୍ରାଉଣ୍ଡ ୱାର୍କର(over ground worker) ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୋଲିସ । ଶୁକ୍ରବାର ସୋପୋର ଅଞ୍ଚଳରୁ ଲସ୍କର-ଏ-ତୋଏବାର ଦୁଇ ଓଭରଗ୍ରାଉଣ୍ଡ କର୍ମଚାରୀ ଗିରଫ ହୋଇଛନ୍ତି । ପୋଲିସ, ସିଆରପିଏଫ(CRPF) ଯବାନ ଏବଂ ସେନାର ମିଳିତ ଅପରେସରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଜଣ ବନ୍ଦିପୋରା ଅଞ୍ଚଳର ଶାକିର୍ ଅକବର(Shakir Akber) ଏବଂ ବରମୁଲ୍ଲା ନିବାସୀ ମୋହସିନ ୱାନି(Mohsin Wani) ବୋଲି ପରିଚୟ ମିଳିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ପୋଲିସ, ସେନା ଏବଂ ସିଆରପିଏଫ ଯବାନ ସୋପୋରର ଗୌସିଆବାଦ ଛକ ଚିଙ୍କିପୋରା(Gousiabad Chowk Chinkipora) ଅଞ୍ଚଳରେ ମିଳିତ ଅପରେସନ କରିଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତିଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ଯାଞ୍ଚ ପାଇଁ ତାଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା । କିନ୍ତୁ ସେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ସୁରକ୍ଷାକର୍ମୀ ତାଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲେ । ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବାରୁ ସେମାନଙ୍କୁ ନିକଟରୁ ଦୁଇ ଗ୍ରେନଡ ଜବତ ହୋଇଥିଲା ।