ନୂଆଦିଲ୍ଲୀ:ଆଜି କୋଭିଡ ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ଅପରାହ୍ନ 4:30 ସମୟରେ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । ଗତ 9 ତାରିଖରେ ଦେଶର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ।
ଉକ୍ତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସହ ଏହି ପ୍ରସଙ୍ଗରେ ସମନ୍ୱୟ ରକ୍ଷା କରିବାକୁ କେନ୍ଦ୍ରୀୟ ଅଧିକାରୀ ଓ ସଂସ୍ଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରି ରାଜ୍ୟଓ୍ବାରୀ କୋଭିଡ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଥିଲା ।