ଅଯୋଧ୍ୟା: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏ ନେଇ ସମସ୍ତ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ଅନେକଙ୍କ ମଧ୍ୟରେ ଆଗ୍ରହ । ତେବେ ଏହି ଦିନ ଅଯୋଧ୍ୟା ନ ଆସିବାକୁ ଦେଶବାସୀଙ୍କୁ ମୋଦି ଅପିଲ କରିଛନ୍ତି । ମନ୍ଦିର ପ୍ରାଣ ପ୍ରତିଷ୍ଠା ବିଧିବଦ୍ଧ ଭାବେ ସମ୍ପନ୍ନ ହେବା ପରେ ନିଜ ସୁବିଧାରେ ଦେଶବାସୀ ଅଯୋଧ୍ୟା ଆସନ୍ତୁ ବୋଲି ଆଜି ରାମନଗରୀ ଗସ୍ତରେ ଥିବା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ଘରେ ଶ୍ରୀରାମ ଜ୍ୟୋତି ଜାଳି ଦୀପାବଳି ପାଳିବାକୁ ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ଏନେଇ ମୋଦି କହିଛନ୍ତି, " ଜାନୁଆରୀ ୨୨ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଲାଗି ସମସ୍ତଙ୍କ ଆଗ୍ରହ ରହିଛି । ହେଲେ ମୋର ଦେଶବାସୀଙ୍କୁ ଅନୁରୋଧ ଏହି ଦିନ ଅଯୋଧ୍ୟ ନ ଆସନ୍ତୁ । ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଛି, ସେମାନେ ହିଁ ଏହି ଦିନ ଅଯୋଧ୍ୟା ଆସନ୍ତୁ । ଭିଡ଼ ହେବା ଦ୍ବାରା ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମ୍ଭବତଃ ଅସୁବିଧା ଉପୁଜିପାରେ । ଦେଶବାସୀ ଦୀର୍ଘ ୫୦୦ରୁ ଅଧିକ ବର୍ଷ ଧରି ଏହି ଭବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ତେବେ ଆଉ କିଛି ଦିନ ଅପେକ୍ଷା କରି ଜାନୁଆରୀ ୨୩ ତାରିଖ ପରେ ନିଜ ସୁବିଧାରେ ଅଯୋଧ୍ୟା ଆସନ୍ତୁ ।"
ଏହା ବି ପଢନ୍ତୁ- ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ