ନୂଆଦିଲ୍ଲୀ: ଆଜି ଜନ୍ମଦିନରେ ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ଟିମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଆଡଭାନୀଙ୍କ ବାସଭବନରେ ପହଞ୍ଚିଥିଲେ । ସଂଧ୍ୟାରେ ସାକ୍ଷାତକାର ଓ ଶୁଭେଚ୍ଛା ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଟ୍ବିଟ କରି ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶୁଭେଚ୍ଛା ବାର୍ତ୍ତାରେ ମୋଦି ଲେଖିଥିଲେ, ‘‘ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ସାଧୁତା ଓ ଉତ୍ସର୍ଗୀକୃତତାର ପ୍ରତୀକ । ଯାହାଙ୍କ ମହତ୍ ଅବଦାନ ଆମ ଦେଶକୁ ସୁଦୃଢ କରିଛି । ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଅଭିଜ୍ଞତା ରହିଛି । ଜାତୀୟ ପ୍ରଗତି ଏବଂ ଏକତାକୁ ଆଗକୁ ବଢାଇବାରେ ତାଙ୍କ ନେତୃତ୍ବର ଅବଦାନ ରହିଛି ।’’
ଭାରତୀୟ ଜନତା ପାର୍ଟିର ଏହି ଭେଟେରାନ ଆଜି 96 ବର୍ଷରେ ପଦାର୍ପଣ କରିଛନ୍ତି । ତମାମ ପାର୍ଟି କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇବା ଦୀର୍ଘ ଓ ନିରାମୟ ଜୀବନର କାମନା କରିଛନ୍ତି । ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ଏହି ଭେଟେରାନ 1927ରେ ପରାଧୀନ ଭାରତରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘରୁ ବିଜେପିରେ ଯୋଗଦାନ କରିଥିଲେ । ତାଙ୍କ ନେତୃତ୍ବରେ ଗୁଜୁରାଟରୁ ବାହାରିଥିବା ରଥଯାତ୍ରା ତାଙ୍କୁ ଜଣେ ହିନ୍ଦୁବାଦୀ ରାଜନେତା ଭାବେ ଦେଶରେ ପରିଚୟ ଦେଇଥିଲା । 1998 ରୁ 2004 ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପରେ ସେ 2002 ରୁ 2004 ପର୍ଯ୍ୟନ୍ତ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ବାଜପେୟୀଙ୍କ ପରେ ସେ ଦଳର ପ୍ରଧାନମନ୍ତ୍ରୀ ଚେହେରା ଭାବେ ନିର୍ବାଚନ ମଧ୍ୟ ଲଢିଥିଲେ । ହେଲେ ଭାରତୀୟ ଜନତା ପାର୍ଟି କ୍ଷମତା ହାସଲ କରିନପାରିଥିଲା ।