ଓଡିଶା

odisha

ETV Bharat / bharat

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ, ଛୁଇଁଲେ ମୃତ୍ୟୁ ନିଶ୍ଚିତ’ - ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ କହି ବିବାଦରେ କଂଗ୍ରେସ ମୁଖିଆ ଖଡଗେ । ବିଜେପିର କଡା ନିନ୍ଦା । ସ୍ପଷ୍ଟୀକରଣରେ ଅଭିଯୋଗକୁ ଖଡଗେ କଲେ ଖଣ୍ଡନ । କହିଲେ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ବିଜେପି ବିଚାରଧାରା ବିଷଧର ସାପ ସଦୃଶ୍ୟ । ଅଧିକ ପଢନ୍ତୁ

Mallikarjun Kharge On PM Modi
Mallikarjun Kharge On PM Modi

By

Published : Apr 27, 2023, 5:40 PM IST

Updated : Apr 27, 2023, 6:02 PM IST

ନୂଆଦିଲ୍ଲୀ:ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରୁ ହଟିନଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ । ‘‘ପ୍ରଧାନମନ୍ତ୍ରୀ ବିଷଧର ସର୍ପ । ଯଦି ଏହି ବିଷକୁ କେହି ଛୁଇଁବ (ଚାଟିଲେ) , ତେବେ ମୃତ୍ୟୁ ନିଶ୍ଚିତ । ଦେଶକୁ ବର୍ବାଦ କରିସାରିଲେଣି ।’’ ଏପରି କିଛି ବୟାନ ଦେଇ ଏବେ ବିବାଦ ପରିସରକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜି କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଖଡଗେ ସଭାମଞ୍ଚରୁ ଏପରି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ହେଲେ ଏହାକୁ ନେଇ ବିବାଦ ତେଜିବା ପରେ ଖଡଗେ ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ ଗଣମାଧ୍ୟମରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ।

ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗକୁ ଖଡଗେ ଖଣ୍ଡନ କରିଛନ୍ତି । କହିଛନ୍ତି, ତାଙ୍କର ଏପରି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନଥିଲା । ସେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ହିଁ ବିଷଧର ସାପ ସହ ତୂଳନା କରିଥିଲେ । ବିଜେପିର ବିଚାରଧାରା ହେଉଛି ବିଷଧର ସାପ ପରି, ଏହାକୁ ଛୁଇଁଲେ ମୃତ୍ୟୁ ହେବା ନେଇ ସେ କହିଥିଲେ ।

ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ହେବା ପରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ବିଜେପିର ଏକାଧିକ ବରିଷ୍ଠ ନେତା ଖଡଗେଙ୍କ ବୟାନକୁ ସମାଲୋଚନା କରିବା ସହ ପାଲଟା କଂଗ୍ରେସ ଉପରେ ବର୍ଷିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ କହିଛନ୍ତି, ଖଡଗେଙ୍କ ମାନସିକତାରେ ବିଷ ଭରି ରହିଛି । ସେମାନେ ସଂସଦ କିମ୍ବା ବାହାରେ ବିଜେପି ସହ ମୁକାବିଲା କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ଖଡଗେ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ବାରମ୍ବାର ଏପରି ହୀନ ମନ୍ତବ୍ୟ ଦେଉଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖଡଗେଙ୍କ ମନ୍ତବ୍ୟକୁ ନିନ୍ଦା କରି ଟ୍ବିଟ କରିଛନ୍ତି । ଖଡଗେଙ୍କୁ ପରୋକ୍ଷରେ ଗାନ୍ଧୀ ପରିବାର କଟପୁତଲି ବୋଲି କହି ଧର୍ମେନ୍ଦ୍ର କହିଛନ୍ତି, ସେମାନେ ଏହା ଭୁଲି ଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ, ବ୍ୟକ୍ତିଗତ ଆକ୍ଷେପର କୁପରିଣାମ ସେମାନଙ୍କୁ ହିଁ ଭୋଗିବାକୁ ପଡୁଛି । ଏପରି ମନ୍ତବ୍ୟ ଦେଇ ଖଡଗେଜୀ କର୍ଣ୍ଣାଟକରେ କଂଗ୍ରେସର କବର ଖୋଳିଛନ୍ତି । କଂଗ୍ରେସ ହେଉଛି ଗରିବ, ପଛୁଆ ଓ ଓବିସି ବିରୋଧୀ । ସେମାନଙ୍କୁ ଏହାର ଫଳାଫଳ ମିଳିବ ।

ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଖଡଗେଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସୋନିଆ ଗାନ୍ଧୀଙ୍କ ଠାରୁ ବର୍ତ୍ତମାନର ଅଧ୍ୟକ୍ଷ ଖଡଗେଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଅପଶବ୍ଦର ପ୍ରୟୋଗ କରିଛନ୍ତି । ସାପ, ବିଚ୍ଛା, ମୌତ କି ସୌଦାଗର, ମୋଦି ତେରା କବର ଖୁଲେଗା ପରି ଅତି ନିନ୍ଦନୀୟ ଶବ୍ଦ ବ୍ୟବହାର କରିସାରିଛନ୍ତି । ଏପରି କରିବା ସେମାନଙ୍କର ପୁରୁଣା ବଦଭ୍ୟାସରେ ପରିଣତ ହେବାରେ ଲାଗିଛି । କେବଳ ନିର୍ବାଚନ ହାରିବା ପରେ କଂଗ୍ରେସ ଏପରି କରୁଛି ବୋଲି ଅନୁରାଗ କହିଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, ଏହି କର୍ଣ୍ଣାଟକରେ 2019 ରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ଯସ୍ତ ହୋଇଥିଲା । ଘଟଣାର 4ବର୍ଷ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଛନ୍ତି । ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ଯାହାକୁ ନେଇ ସେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏବେ ବର୍ତ୍ତମାନର ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାପ କହି ବିବାଦକୁ ଆସିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2023, 6:02 PM IST

ABOUT THE AUTHOR

...view details