ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 73 ବର୍ଷରେ ପାଦ ଥାପଛନ୍ତି ପ୍ରଧାନମନ୍ତ୍ରୀ । ଜନ୍ମଦିନ ଅବସରରେ ଦିଲ୍ଲୀବାସୀଙ୍କୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଦ୍ବାରିକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଆଇଆଇସିଇସି (ଯଶୋଭୂମି)ର ପ୍ରଥମ ଅଂଶକୁ ଉଦଘାଟନ କରିଛନ୍ତି । ଯଶୋଭୂମି ସହ ଦ୍ବାରିକା ସେକ୍ଟର 21ରୁ ନୂଆ ମେଟ୍ରୋ ଷ୍ଟେସନ ଯଶୋଭୂମି ଦ୍ବାରିକା ସେକ୍ଟର 25 ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଯଶୋଭୂମିର ବିଶେଷତ୍ବ:ପ୍ରତିବର୍ଷ ଏକ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ଦିଲ୍ଲୀର ଦ୍ବାରକା ଠାରେ ୭୩ ହଜାର ବର୍ଗ ମିଟର ଜମିରେ ନିର୍ମିତ 'ଯଶୋଭୂମି' ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିରେ ଏକ ଗ୍ରାଣ୍ଡ ମେନ ଅଡିଟୋରିୟମ୍, ୧୫ଟି ସମ୍ମିଳନୀ କକ୍ଷ ରହିଛି । ୧୧ ହଜାର ପ୍ରତିନିଧୀଙ୍କ ରହିବା ପାଇଁ ଆତ୍ୟାଧୁନିକ ବ୍ୟବସ୍ଥା ଅଛି । 'ଯଶୋଭୂମି'ରେ ପାର୍କିଂ, ସୁରକ୍ଷା ଏବଂ ଅନ୍ୟାନ୍ୟ ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।
ପ୍ରାୟ 5,400 କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି । ଏହି କନଭେସନ ସେଣ୍ଟରରେ 8.9 ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ଏବଂ ବିଶ୍ବର ସବୁଠୁ ବଡ ଏମଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ଯଶୋଭୂମି ଏକ ସମ୍ମିଳନୀ କକ୍ଷ ଯେଉଁଥିରେ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି । ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବାହାରପଟ ଜି-20 ଥିମ ଡିଜାଇନ ରହିଛି । ଏହାର ଛାତ ନୀଳ ରଙ୍ଗରେ ଡିଜାଇନ ହୋଇଛି । ଏଥିରେ 13ଟି ବୈଠକ ଘର ରହିଛି । ଯଶୋଭୂମିକୁ ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନ ସହ ଯୋଡା ଯାଇଛି ।