ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ଉତ୍ତର ରଖିବା ବେଳେ କଂଗ୍ରେସକୁ ତୀକ୍ଷ୍ଣ ଆକ୍ରମଣ କରିଥିଲେ । ତେବେ କଂଗ୍ରେସ ମଧ୍ୟ ଆଜି ଏହି ପ୍ରସଙ୍ଗରେ କାଉଣ୍ଟର ମୋଡକୁ ଆସିଛି । ରାଜ୍ୟ ସଭାରେ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରକୁ ନେଇ ସମାଲୋଚନା କରିବା ସହ ସେ ସଂସଦରେ ଉତ୍ତର ରଖିବାର ମର୍ଯ୍ୟାଦା ଭୁଲି ସାରିଛନ୍ତି ବୋଲି କହିଛନ୍ତି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଖାଡ୍ଗେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବର୍ତ୍ତମାନ ସ୍ଥିତି, ମୁଦ୍ରାସ୍ଫୀତି, ବେକାରୀ, ଚୀନର ଆକ୍ରୋଶ, ମୋଦି ସରକାରର ବୈଦେଶିକ ନୀତିର ତ୍ରୁଟି ଏବଂ କେନ୍ଦ୍ର ସରକାରଙ୍କ ଅବ୍ୟବସ୍ଥାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ତେବେ ଦେଶର ପ୍ରକୃତ ପ୍ରସଙ୍ଗ ଓ ନିଜ ସରକାରର ଭୁଲ ନିଷ୍ପତ୍ତିରୁ ନଜର ହଟାଇବା ପାଇଁ ମୋଦି ନିଜର ଅଭିଭାଷଣରେ କଂଗ୍ରେସକୁ ଦୋଷାରୋପ କରି ଟାର୍ଗେଟ କରିଛନ୍ତି ।
ଆହୁରି ମଧ୍ୟ ଖଡ୍ଗେ କହିଛନ୍ତି, ମୋଦି ରାଜନୈତିକ ଲାଭ ପାଇଁ ମଧ୍ୟ ସଂସଦୀୟ ପ୍ଲାଟଫର୍ମର ବ୍ୟବହାର କରିଛନ୍ତି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନିକଟବର୍ତ୍ତୀ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ମାଧ୍ୟମରେ ରାଜନୈତିକ ଆକ୍ରୋଶ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ରାଜନୀତି ବ୍ୟତୀତ ଦେଶର ପ୍ରଗତି ସମ୍ପର୍କିତ ଗୋଟିଏ ଧାଡି ନଥିଲା ବୋଲି କହିଛନ୍ତି ଖାଡ୍ଗେ ।