ନୂଆଦିଲ୍ଲୀ:ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅଗଷ୍ଟ 2ରୁ ଶୁଣାଣି ଆରମ୍ଭ ହେବ । ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ହୋଇଥିବା ଅପିଲକୁ ନେଇ ଅଗଷ୍ଟ 2ରୁ ଦୈନନ୍ଦିନ ଶୁଣାଣି କରିବା ନେଇ ସର୍ବୋଚ୍ଚ ନ୍ୟାୟଳୟ ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ ।
ସୁପ୍ରିମକୋର୍ଟର 5ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଅଧ୍ୟକ୍ଷତା କରୁଥିବା ସିଜେଆଇ କହିଛନ୍ତି, "ଧାରା 370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଅଗଷ୍ଟ 2ରୁ ଦୈନନ୍ଦିନ ଶୁଣାଣି ହେବ । ମୋଟ 23ଟି ଅପିଲ ଉପରେ ଶୁଣାଣି ହେବ । ଆସନ୍ତା 27 ତାରିଖ ଯାଏଁ ସମସ୍ତ ପକ୍ଷ ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ଯ୍ୟ ସମୟରେ ଜବାବ ଦାଖଲ ନକଲେ ଆଗକୁ ସମୟ ମିଳିବ ନାହିଁ । ଶୁଣାଣିକୁ ସରଳ ଓ ସୁବିଧାଜନକ କରିବାକୁ ଆଇନଜୀବୀକୁ ନୋଡାଲ ଓକିଲ ଭାବେ ନିଯୁକ୍ତ କରାଯିବ ।
ଏହା ବି ପଢନ୍ତୁ...Article 370 case: ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ
ଧାରା 370 ଉଚ୍ଛେଦକୁ ବିରୋଧ କରୁଥିବା ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଓମର ଅବଦୁଲ୍ଲା କହିଛନ୍ତି, "ଭଲ କଥା, ଡେରିରେ ହେଉ ପଛେ ଆସିଲେ । 2019ରୁ ଏହି ଦିନକୁ ଅପେକ୍ଷା କରିଥିଲୁ । ଆମ ମାମଲା ମଜଭୁତ ରହିଛି । ଏହାକୁ ନେଇ ଅନେକ ଜିନିଷ ଜଡ଼ିତ ରହିଛି । ଅଧିକ ସମୟ ନେଇ ମାମଲାରେ ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବୁ । ଆମକୁ ନ୍ୟାୟ ମିଳିବ । ଜମ୍ମୁ କାଶ୍ମୀର ଲୋକଙ୍କ ସହିତ ଯେଉଁ ବେଆଇନ କାର୍ଯ୍ୟ ହୋଇଛି ତାଙ୍କ ସହିତ ଯେଉଁ ଧୋକା ହୋଇଛି, କାନୁନର ଅପମାନ ହୋଇଛି ତାର ଜବାବ ସୁପ୍ରିମକୋର୍ଟରୁ ମିଳିବ । ଆଶା କରୁଛି ଶୀଘ୍ର ଶୁଣାଣି ଶେଷ ହେବ ଏବଂ ସର୍ବୋଚ୍ଚ ନ୍ୟାୟଳାୟଙ୍କ ପାଖରୁ ଆମକୁ ନ୍ୟାୟ ମିଳିବ ।"
ପ୍ରକାଶଥାଉ କି, 2019 ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯାଇଥିଲା । 2019ରେ କେନ୍ଦ୍ର ସରକାର ସଂସଦରେ ଏହି ଧାରା ଉଚ୍ଛେଦ ପାଇଁ ବିଲ୍ ଆଗତ କରି ପାରିତ କରିବାରେ ସଫଳ ହୋଇଥିଲେ । ଏହାପରେ ଅଗଷ୍ଟ 5 ତାରିଖରେ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା 370 ଓ ଅନୁଚ୍ଛେଦ 35-ଏ'କୁ ଉଚ୍ଛେଦ କରାଯାଇଥିଲା । ଯାହାକୁ ଏକାଧିକ ବିରୋଧୀ ଦଳ ବିରୋଧ କରିଥିଲେ । ଏହାକୁ ଚ୍ଯାଲେଞ୍ଜ କରି ଏକାଧିକ ଜନସ୍ବାର୍ଥ ମାମଲା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ଧାରା 370 ଉଚ୍ଛେଦ କରାଯାଇ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଛି । ଯାହାକୁ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରାଯାଇଥିଲା ।