ନୂଆଦିଲ୍ଲୀ: ଅସହ୍ୟ ହେଉଛି ତୈଳ ତାତି । ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି ପେଟ୍ରୋଲ-ଡିଜେଲ ଦର । ପ୍ରତିଦିନ ତୈଳ ଦର ବଢାଇ ଚାଲିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଲଗାତାର ଚତୁର୍ଥ ଦିନରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା କରିଛନ୍ତି ତୈଳ କମ୍ପାନୀ ।
ପେଟ୍ରୋଲିୟମ କମ୍ପାନୀ IOCL ମୁତାବକ, ଦିଲ୍ଲୀରେ ପେଟ୍ରୋଲ ଦର ୧୦୭.୨୪ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ମଧ୍ୟ ମହଙ୍ଗା ହୋଇ ଲିଟର ପିଛା ୯୫.୯୭ ଟଙ୍କାରେ ପହଞ୍ଚିଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୩.୧୨ ଟଙ୍କା ଏବଂ ୧୦୪ ଟଙ୍କା ରହିଛି ।
ମଧ୍ୟପ୍ରଦେଶର ଶେଷ ଜିଲ୍ଲା ବାଲାଘାଟ ଯାହା ଛତିଶଗଡ ଏବଂ ମହାରାଷ୍ଟ୍ର ସୀମାକୁ ଲାଗି ରହିଛି, ସେଠାରେ ପେଟ୍ରୋଲ ରେଟ୍ ନୂଆ ରେକର୍ଡ ବନାଇଛି । ବର୍ତ୍ତମାନ ବାଲାଘଟରେ ପେଟ୍ରୋଲ ଲିଟର ପିଛା ୧୧୮.୨୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୧୦୭.୪୬ ଟଙ୍କାରେ ପହଞ୍ଚିଛି । ଛୋଟ ଛୋଟ ବେପାରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଙ୍କ ଯାଏଁ ସମସ୍ତଙ୍କ ପାଇଁ ପେଟ୍ରୋଲ-ଡିଜେଲ ଏକ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଭାବେ ଗଣା ହେଉଥିବାବେଳେ ଏହାର ରେଟରେ ନିରବଚ୍ଛିନ୍ନ ବୃଦ୍ଧି ସମସ୍ତଙ୍କୁ ହନ୍ତସନ୍ତ କରୁଛି ।