ନୂଆଦିଲ୍ଲୀ: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବାପରେ କିଛି ସ୍ଥାନରେ କୋଭିଡ ଗାଇଡ ଲାଇନକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରି ସାମୂହିକ ବିଜୟ ଉତ୍ସବ ପାଳନ କରାଯାଉଥିବା ଚିତ୍ର ଦେଖିବାକୁ ମିଲୁଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଦେଶରେ ମହାମାରୀ ସ୍ଥିତି ଗମ୍ଭୀର ଥିବାବେଳେ ଫଳାଫଳ ଘୋଷଣା ପରେ ଯେପରି କୌଣସି ସ୍ଥାନରେ ଉତ୍ସବ ପାଳନ ନ ହୁଏ ତାକୁ ନେଇ କଡା ନିର୍ଦ୍ଦେଶାବଳୀ ଥିବା ସତ୍ତ୍ବେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସମ୍ପୃକ୍ତ 5 ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତରେ କୋରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବାବେଳେ ଏପରି ଦାୟିତ୍ବହୀନତାକୁ ଅତି ଗମ୍ଭୀର ଭାବେ ନେଇଛନ୍ତି ଆୟୋଗ । କଟକଣା ଉଲଙ୍ଘନ କରୁଥିବା ଦଳୀୟ କର୍ମୀ ଓ ଜନତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । 4 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମାନଙ୍କୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ କୋଭିଡ ଗାଇଡଲାଇନ ଉଲଙ୍ଘନକାରୀଙ୍କ ବିରୋଧରେ ଏତଲା ଦେବା ସହ ଗିରଫ କରିବାକୁ ନିର୍ଦ୍ଦେଶର କୁହାଯାଇଛି ।