ମୁମ୍ବାଇ:କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କାର୍ଯ୍ୟକ୍ରମରେ ଭାଙ୍ଗିଲା ପେଣ୍ଡାଲ । ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ରମନ୍ତ୍ରୀ । ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ତଥା ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ମହାରାଷ୍ଟ୍ର ଥାନା ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ମଞ୍ଚରେ ଉପସ୍ଥିତ ଥିବାବେଳେ ଅଚାନକ ଝଡ ପବନ ବହିବା ଯୋଗୁଁ ପେଣ୍ଡାଲର ଗୋଟିଏ ଭାଗ ଭୁଶୁଡି ପଡିଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ତେବେ କାର୍ଯ୍ୟକର୍ମରେ ସାମିଲ ହୋଇଥିବା ବହୁ ମହିଳା ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହିଳା ଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହିକ୍ରମରେ ଥାନେ ଜିଲ୍ଲାର ଶାହପୁରଠାରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ବହୁସଂଖ୍ୟକ ମହିଳା ମଧ୍ୟ ସାମିଲ ହୋଇଥିଲେ । ତେବେ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ହଠାତ୍ ଝଡ଼ ପବନ ବହିଥିଲା । ଫଳରେ ପେଣ୍ଡାଲର ଗୋଟିଏ ଭାକ ହଠାତ୍ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲେ ପେଣ୍ଡାଲ ଭୁଶୁଡିବା ଯୋଗୁଁ ସେଠାରେ ଉପସ୍ଥିତ ଥିବା ଅନେକ ମହିଳା ଆହତ ହୋଇଥିଲେ ।