ରାଞ୍ଚି:ଝାଡଖଣ୍ଡପାଲାମୁରେ ଆଜି (ବୁଧବାର) ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ଫଳରେ ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସ୍ଥାନୀୟ ପ୍ରଶାସନ 144 ଲାଗୁ କରିଛି । ଜଣେ ସ୍ଥାନୀୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଉଭୟ ଗୋଷ୍ଠୀ ପରସ୍ପର ଉପରେ ଟେକା, ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ପ୍ରାୟ 10 ରୁ 12 ଜଣ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲା । ସ୍ଥାନୀୟ ପୋଲିସ ଅଧୀକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ ନେତୃତ୍ୱରେ ଏକାଧିକ ପୋଲିସ ଟିମ ଘଟଣାସ୍ଥଳରେ ମୁତୟନ ରହି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ପ୍ରଶାସନ ମଧ୍ୟ ଉକ୍ତ ଅଞ୍ଚଳରେ 144 ଧାରା ଜାରି କରିଛି ।
ପାଲାମୁ ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ରାଜ କୁମାର ଲାକ୍ରା କହିଛନ୍ତି, ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ତୋରଣ ଭଙ୍ଗାରୁଜା କରାଯିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ପରସ୍ପରକୁ ଆକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ । ପୋଲିସ ବଳ ପ୍ରୟୋଗ କରିବା ସହ ଉଭୟ ପକ୍ଷରୁ କିଛି ଲୋକଙ୍କୁ ଗିରଫ କରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ପରେ ସ୍ଥିତିର ଗମ୍ଭୀରତାକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଧାରା 144 ମଧ୍ୟ ଜାରି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଅନାବଶ୍ୟକ ଭିଡ ଓ ଯାତାୟତ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି ।