ଇସଲାମାବାଦ:ଭାରତ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦର ସମାଧାନ ଦିଗରେ ଭିନ୍ନ ଏକ ପ୍ରସ୍ତାବ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି (ମଙ୍ଗଳବାର) ଇମ୍ରାନ ଖାନ ଆଜି କହିଛନ୍ତି ଯେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଲାଗି ରହିଥିବା ଏକାଧିକ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଟେଲିଭିଜନ ବିତର୍କ କରିବାକୁ ଆଗ୍ରହୀ । ଏପରି କାର୍ଯ୍ୟକ୍ରମରେ ଖୋଲା ଆଲୋଚନା ମାଧ୍ୟମରେ ସମାଧାମର ବାଟ ଫିଟିବା ନେଇ ସେ ଆଶାବାଦୀ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।
ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସ୍ବାଧୀନତା ପର ଠାରୁ ଏକାଧିକ ପ୍ରସଙ୍ଗରେ ମତଭେଦ ରହିଆସିଛି । ଏପରିକି ସୀମା ବିବାଦ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ୩ ଯୁଦ୍ଧ ମଧ୍ୟ ହୋଇସାରିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଓ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟିଭିରେ ବିତର୍କ କରିବାକୁ ପସନ୍ଦ କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗଣମାଧ୍ୟମ ସଂସ୍ଥା ଋଷିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି । ତେବେ ଖାନଙ୍କ ଏପରି ପ୍ରସ୍ତାବ ଉପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମତାମତ ପ୍ରକାଶ କରାଯାଇନି ।