ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଭାରତ ପ୍ରତି ବଢୁଛି ବିପଦ । ଦେଶରେ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ଗନ୍ଧ ବାରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । କାଶ୍ମୀରରେ ସର୍ବଦା ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ(JEM) ପ୍ରତିନିଧି ଦଳ ତାଲିବାନ ନେତାଙ୍କୁ ଭେଟିବା ପରେ ଜମ୍ମୁକାଶ୍ମୀର କିଛି ଅଞ୍ଚଳରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବଢିଛି । ଏନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।
ଭରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନା ଆଧାରରେ ପାକିସ୍ତାନରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ଜାରିରଖିଥିବା ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସହ କିଛି ନେତା ତାଲିବାନ ନେତାଙ୍କ ସହ ବୈଠକ କରିଛନ୍ତି । ଭାରତରେ ଜେଇମ ପକ୍ଷରୁ ଚାଲିଥିବା ଆତଙ୍କୀ କାର୍ଯ୍ୟାକଳାପକୁ ସହଯୋଗ ଓ ପ୍ରତ୍ସାହନ ଯୋଗାଇବା ନେଇ ତାଲିବାନ ନେତାଙ୍କ ପାଖରେ JEM ପକ୍ଷରୁ ଦାବି ରଖିଥିବା କୁହାଯାଉଛି । ସେହପରି ପାକିସ୍ତାନରେ ବର୍ତ୍ତମାନର ରାଜନୈତିକ ସ୍ଥିତି ମଧ୍ୟ ଉକ୍ତ ବୈଠକରେ ସ୍ଥାନ ପାଇଛି ।
ଏ ସମ୍ପର୍କିତ ତଥ୍ୟ ଗୁଇନ୍ଦା ବିଭାଗ ହାତରେ ଲାଗିବା ପରେ କାଶ୍ମୀର ସମେତ ଭାରତ ପାକ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତ ୨୪ ତାରିଖରେ ନିୟନ୍ତ୍ରଣ ରେଖା ନିକଟରେ ୨ ଆତଙ୍କୀ ଭାରତ ସୀମାରେ ପ୍ରବେଶ କରିଥିବାର ମଧ୍ୟ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଦୁଇ ଆତଙ୍କୀ ଗ୍ରେନେଡ ଆକ୍ରମଣ କରିବା ନେଇ ସୂଚନା ପାଇଛି ଗୁଇନ୍ଦା ସଂସ୍ଥା ।