ଥିରୁଅନନ୍ତପୁରମ୍:ଟ୍ରନ୍ସଜେଣ୍ଡରମାନେ ପୁରୁଷ କିମ୍ବା ମହିଳାମାନଙ୍କ ପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ନାହିଁ । ଫଳରେ ସେମାନଙ୍କୁ ଏକ ଭିନ୍ନ ଶ୍ରେଣୀଭୁକ୍ତ ଭାବେ ବର୍ଣ୍ଣନା କରାଯାଏ । କିଛି ସ୍ଥାନରେ ସେମାନେ ସାମାଜିକ ଭେଦଭାବର ଶିକାର ହୋଇ ଏକ ଅବହେଳିତ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଥିବା ମଧ୍ୟ ଦେଖିବାକୁ ମିଳେ । ହେଲେ ସେମାନେ ଯେ ଅନ୍ୟ ଦୁଇ ଲିଙ୍ଗଗତ ବର୍ଗ ପରି ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସମର୍ଥ ଓ ଦକ୍ଷ ସେପରି ଅନେକ ନଜିର ରହିଛି । ସେପରି ଏକ ଘଟଣା କେରଳରେ ଦେଖିବାକୁ ମିଳିଛି । କେରଳରେ ପଦ୍ମାଲକ୍ଷ୍ମୀ ନାମକ ଜଣେ ଟ୍ରନ୍ସଜେଣ୍ଡର ଆଇନ ଶିକ୍ଷା ଶେଷ କରିବା ପରେ ଆଇନଜୀବୀ ଭାବେ ନ୍ୟାୟାଳୟରେ କାର୍ଯ୍ୟ କରିଛନ୍ତି । ଯାହାଙ୍କୁ କେରଲର ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡର ଆଇନଜୀବୀ ଭାବେ ମଧ୍ୟ ଗ୍ରହଣ କରାଯାଉଛି । କେବଳ ଗଣମାଧ୍ୟମରେ ଚର୍ଚ୍ଚା ନୁହେଁ ରାଜ୍ୟ ରାଜ୍ୟ ପି.ରାଜୀବ ଏହି ସଫଳତା ପାଇଁ ପଦ୍ମାଲକ୍ଷ୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପଦ୍ମାଲକ୍ଷ୍ମୀ ଏହି ସଫଳତା ପାଇଁ ବେଶ ଖୁସି ପ୍ରକାଶ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଏହି ସଫଳତା ତାଙ୍କ ପିତାମାତାଙ୍କ ପାଇଁ ସମ୍ଭବ ହୋଇପାରିଛି । ସେହିପରି ତାଙ୍କର ଏହି ଆଇନଜୀବୀ ହେବାର ଯାତ୍ରାରେ ତାଙ୍କର ଶିକ୍ଷକ ମାରିୟମ୍ମା ଏମ.କେ ଓ ବରିଷ୍ଠ ସହଯୋଗୀ ଡ.ଭଦ୍ରାକୁମାରୀଙ୍କ ଏକ ବଡ ଅବଦାନ ରହିଛି । ଏମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ତାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବଦା ପ୍ରେରଣା ଯୋଗାଇଥିଲେ । ପରିବାରରୁ ନିମୟିତ ସହଯୋଗ ମିଳିଥିଲା । ଯାହା ଫଳରେ ସେ ପୂର୍ବ ପ୍ରଚଳିତ ଧାରା ଭାଙ୍ଗି ଏହି ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ଏବେ ଲୋକଙ୍କ ସମର୍ଥନ ଓ ଭଲପାଇବା ମିଳୁଛି । ସେ ଆହୁରି ଆଗକୁ ବଢିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ପଦ୍ମାଲକ୍ଷ୍ମୀ ।