ଥିରୁଅନନ୍ତପୁରମ:ବ୍ରେନଷ୍ଟ୍ରୋକର ଶିକାର ହୋଇ ପ୍ରାଣ ହରାଇଥିବା ତାମିଲନାଡୁର ଜଣେ 36 ବର୍ଷୀୟ ପୁରୁଷ ନର୍ସଙ୍କ ପରିଜନ ତାଙ୍କର ଏକାଧିକ ଅଙ୍ଗ ଦାନ କରିଛନ୍ତି । ଏହି ବିଭିନ୍ନ ଅଙ୍ଗକୁ 6 ଜଣ ବ୍ୟକ୍ତିଙ୍କ ଶରୀରରେ ସଫଳତାର ପ୍ରତିରୋପଣ କରାଯାଇଛି । ଗତକାଲି (24 ତାରିଖରେ) ଏହି ଯୁବକଙ୍କୁ ଥିରୁଅନନ୍ତପୁରମର ଏକ ହସ୍ପିଟାଲରେ ବ୍ରେନଡେଡ ଘୋଷଣା କରାଯାଇଥିଲା । ପରେ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ, ତାଙ୍କର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଆଜି (ଶନିବାର) କୋଚିର ଦୁଇଟି ଭିନ୍ନ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇ ପ୍ରତିରୋପଣ କରାଯାଇଛି । ଅନ୍ୟ କିଛି ଅଙ୍ଗ ଥିରୁଅନନ୍ତପୁରମର ହସ୍ପିଟାଲରେ ପ୍ରତିରୋପଣ କରାଯାଇଛି । କେରଳ ସରକାରଙ୍କ ପ୍ରୟାସରେ ଏହି ପୁରା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି ।
ଏହି 36 ବର୍ଷୀୟ ଯୁବକ ସେଲଭିନ ଶେଖର ହେଉଛନ୍ତି ତାମିଲନାଡୁର କନ୍ୟାକୁମାରୀର ବାସିନ୍ଦା ଓ ପେଷାରେ ଜଣେ ନର୍ସ । ତେବେ 24 ତାରିଖରେ ସେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ । ତାଙ୍କୁ କେରଳର ଥିରୁଅନନ୍ତପୁରମ ସ୍ଥିତ KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ଡିସଚାର୍ଜ ସମୟରେ ତାଙ୍କର ଅଙ୍ଗଦାନ କରିବାକୁ ଇଚ୍ଛା ଥିବା ତାଙ୍କ ସ୍ତ୍ରୀ ପ୍ରକାଶ କରିଥିଲେ ।
ପରିବାର ସଦସ୍ୟଙ୍କ ସହମତି ପରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାଙ୍କର ହାର୍ଟ, 2 କିଡନୀ, ଅଗ୍ନାଶୟ ଓ ଦୁଇଟି ଆଖି ଅସ୍ତ୍ରପୋଚାର କରି କଢାଯାଇଥିଲା । ହାର୍ଟ ଓ ଅନ୍ୟ କିଛି ଅଙ୍ଗ କୋଚିର ଦୁଇଟି ହସ୍ପିଟାଲକୁ ଆଜି ଏୟାରଲିଫ୍ଟ କରାଯାଇଛି । ବିଶେଷଜ୍ଞ ଟିମ ଓ ଏୟାର ଆମ୍ବୁଲାନ୍ସ ଯୋଗେ ମାତ୍ର 5 ମିନିଟର ଉଡାଣରେ ପ୍ରକ୍ରିୟା ଶେଷ ହୋଇଥିଲା । ଏଥିରେ କେରଳ ସରକାର ହେଲିକପ୍ଟର ଯୋଗାଇ ଦେଇଥିଲେ । ଏହା ପରେ ହେଲିପ୍ୟାଡରୁ ନିକଟରେ ଥିବା ଲିସି ହସ୍ପିଟାଲକୁ ହାର୍ଟକୁ ଏହାକୁ ଗ୍ରୀନ କରିଡର ମାଧ୍ୟମରେ ନିଆଯାଇଥିଲା ।